ମହାପ୍ରଭୁଙ୍କ ଗୁପ୍ତ ନୀତି, ଶ୍ରୀମନ୍ଦିରରେ ଅପରାହ୍ନ ୫ ଟା ରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ : ପ୍ରବଳ ଖରାରେ କଲବଲ ଭକ୍ତ । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଟାଇଁ ଟାଇଁ ଖରାରେ ଦୀର୍ଘ ସମୟ ଧରି ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ । ସିଂହଦ୍ୱାର ଆଗରେ,ବାହାରେ ଓ ପରିକ୍ରମା ମାର୍ଗରେ ଭିଡ଼ ଜମିଥିଲା। ଅଗ୍ନିଶମ ବିଭାଗ ପକ୍ଷରୁ କ୍ରମାଗତ ଜଳ ସିଞ୍ଚନ କରାଯାଉଛି । ପୂର୍ବ ପରି ଏସି ସେଡ୍ ବ୍ୟବସ୍ଥା କରିବାକୁ ଭକ୍ତ ଦାବି କରିଛନ୍ତି ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଖରା ଓ ଗୁଳୁଗୁଳିରୁ ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ସ୍ୱତନ୍ତ୍ର ନୀତି ଥିବାରୁ ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଲାଗିଥିଲା ଶ୍ରୀମନ୍ଦିରରେ । ଆଜି ସୋମବାର ଚୈତ୍ର ଶୁକ୍ଳ ଦ୍ଵିତୀୟା ତିଥି ।
ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୫ ଟା ରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ମହାପ୍ରଭୁଙ୍କର ଏହା ଗୁପ୍ତ ନୀତି ଥିବାରୁ ପ୍ରାୟ ପାଞ୍ଚ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦଇତାପତି ସେବାୟତଙ୍କ ଦ୍ବାରା ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବାକୁ ଥିବାରୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ।