ହୁତୁହୁତୁ ହୋଇ ଜଳିଗଲା ପମ୍ପ ହାଉସ୍, ପିଇବା ପାଣି ଟୋପାଏ ପାଇଁ ହାହାକାର

କେନ୍ଦ୍ରାପଡା: ହୁତୁହୁତୁ ହୋଇ ଜଳିଗଲା ପମ୍ପ ହାଉସ୍ l ଫଳରେ ପାନୀୟ ଜଳଯୋଗାଣ ସମ୍ପୂର୍ଣ୍ଣ ଠପ୍ । କେନ୍ଦ୍ରାପଡା ଜିଲା ଆୟବା ଗାଁରେ ପିଇବା ପାଣି ଟୋପାଏ ପାଇଁ ହାହାକାର ଦେଖାଦେଇଛି l ଗାଁ ରେ ପାନୀୟ ଜଳ ଯୋଗାଣ ପାଇଁ ଥିବା ପମ୍ପ ହାଉସ୍ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି l ଆଜି ଭୋରୁ ପମ୍ପ୍ ହାଉସ୍ ରେ ପାଣି ମଟର ଚାଲିବାର କେଇ ମିନିଟ ପରେ ହଠାତ ଠୋ ଠୋ ଶବ୍ଦ ଶୁଣିବା ପାଇଁ ମିଳିଥିଲା l ଦେଖୁ ଦେଖୁ ପମ୍ପ ହାଉସ୍ ଭିତରୁ ଧୂଆଁ ବାହାରି ଥିଲା l କିଛି ସମୟ ଭିତରେ ହୁତୁହୁତୁ ହୋଇ ଜଳି ଉଠିଲା ପମ୍ପ ହାଉସ୍ l ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇ ନଥିବାରୁ ଲୋକେ ପାଖକୁ ଯାଇ ନିଆଁ କୁ ଆୟତ୍ତ କରିବା ପାଇଁ ସାହସ ଜୁଟାଇ ପାରିଲେ ନାହିଁ l

ଫଳରେ ମାତ୍ର କିଛି ସମୟ ମଧ୍ୟରେ ଘରଟି ସମ୍ପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଗଲା l ଏଠାରେ ପ୍ରାୟ ୨୫ ବର୍ଷରୁ ଅଧିକ ସମୟ ଧରି ପାନୀୟଜଳ ଯୋଗାଣ ହୋଇ ଆସୁଛି l ବିଭିନ୍ନ ସମୟରେ ଆବଶ୍ୟକ ଅନୁଯାୟୀ ବିଦ୍ୟୁତ୍ ଉପକରଣ ମରାମତି ଅଭାବରୁ ଦୁର୍ଘଟଣା ଘଟୁଛି ବୋଲି ଅଭିଯୋଗ କରିଛନ୍ତି ଗାଁ ଲୋକେ l ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l କିନ୍ତୁ ସବୁ କିଛି ନିଆଁ ର ଆଁ ଭିତରକୁ ଚାଲି ଯାଇଥିଲା l ବିଦ୍ୟୁତ ମିଟର,ମେନ ସୁଇଜ,ମଟର କେବୁଲ,ସମସ୍ତ ବିଦ୍ୟୁତ ସରଞ୍ଜାମ ସହ ଆସବାବପତ୍ର ସବୁକିଛି ଜଳି ଯାଇଥିଲା l ଏମିତିକି ଘର ର ଛାତ ଓ କାନ୍ଥ ମଧ୍ଯ ନିଆଁ ରେ ପୋଡି ହୋଇ ଫାଟି ଯାଇଥିବା ଦେଖିବାକୁ ମିଳିଛି l

ଆୟବା ଗାଁ ର ଏକମାତ୍ର ଜଳଯୋଗାଣ ପ୍ରକଳ୍ପ ଇଲେକ୍ଟ୍ରି ସରଞ୍ଜାମ ପୋଡି ଯିବା ପରେ ପାନୀୟଜଳ ଯୋଗାଣ ବ୍ୟାହତ ହୋଇଛି l ଏହି ଗାଁ ର ୪ ଶହ ପରିବାରର ପ୍ରାୟ ୩ ହଜାର ଲୋକ ଏହି ପାନୀୟ ଜଳ ଯୋଗାଣ କେନ୍ଦ୍ର ଉପରେ ନିର୍ଭର କରନ୍ତି l ୩ ହଜାର ଲୋକଙ୍କ ପାଇଁ ରହିଛି ମାତ୍ର ୪ ଗୋଟି ନଳକୂପ l ସେଥିମଧ୍ୟରୁ ଗୋଟିଏରୁ ବାହାରୁଥିବା ପାଣି ବ୍ୟବହାର ଉପଯୋଗୀ ନୁହଁ l ମାତ୍ର ୩ ଗୋଟି ନଳକୂପ ଗାଁ ଲୋକଙ୍କୁ ଆବଶ୍ୟକତା ଅନୁଯାୟୀ ପାଣି ଯୋଗାଇ ପାରୁ ନାହିଁ l ଫଳରେ ଗାଁରେ ପାଣି ପାଇଁ ଲୋକେ ଛଟପଟ ହେଉଛନ୍ତି l

ନଳକୂପ ପାଖରେ ଏବେ ମହିଳାମାନଙ୍କର ଲମ୍ବା ଧାଡ଼ି ଦେଖିବା ପାଇଁ ମିଳିଛି l ରୋଷେଇ ବାସ ତଥା ପିଇବା ପାଇଁ ସ୍ଵଚ୍ଛ ପାନୀୟ ଜଳର ଆବଶ୍ୟକତା ଥିବା ବେଳେ ପାରମ୍ପରିକ ଜଳ ଯୋଜନା ତାହା ପୂରଣ କରିବାରେ ବିଫଳ ହୋଇଛି l ଅନ୍ୟ ପକ୍ଷରେ ଗ୍ରୀଷ୍ମ ପ୍ରବାହ ସମସ୍ୟାକୁ ଅଧିକ ଜଟିଳ କରି ଦେଇଛି l ତୁରନ୍ତ ପୋଡି ଯାଇଥିବା ସମସ୍ତ ଉପକରଣ ମରାମତି କରି ଜଳଯୋଗାଣକୁ ସ୍ୱାଭାବିକ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି l ନଚେତ ମାଠିଆ ବାଲ୍ଟି ଧରି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେବେ ବୋଲି ଗାଁର ମହିଳା ମାନେ କହିଛନ୍ତି ।

Also Read:ମୁମ୍ବାଇ ଆଇଆଇଟି କ୍ୟାମ୍ପସରେ ବିଶାଳ କୁମ୍ଭୀର, ଭିଡିଓ ହେଲା ଭାଇରଲ