ପୁରୀର ବିଶ୍ବଜିତଙ୍କ ନିଆରା କଳାକୃତି, ଆଇସ କ୍ରିମ କାଠିରେ ନିର୍ମାଣ କଲେ ପ୍ରଭୁ ଗଜାନନଙ୍କ ମୂର୍ତ୍ତି

ପୁରୀ: ନନ୍ଦିଘୋଷ ରଥ ପରେ ଏବେ ଶ୍ରୀ ଗଣେଶଙ୍କ ମୂର୍ତ୍ତି । ସେ ପୁଣି ଆଇସକ୍ରିମ କାଠିରେ । ପୁରୀର ବିଶ୍ବଜିତ ନାୟକ ଆଇସକ୍ରିମ କାଠିରେ ନିର୍ମାଣ କରିଛନ୍ତି ପ୍ରଭୁ ଗଜାନନଙ୍କ ମୂର୍ତ୍ତି । ପୁରୀ ସିଦ୍ଧ ମହାବୀର କୁମୁଟି ପାଟଣା ଅଂଚଳର ବିଶ୍ୱଜିତ ଏହି ନିଆରା କଳାକୃତି ଗଢି ପୁନଶ୍ଚ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ପୂର୍ବରୁ ଆଇସକ୍ରିମ କାଠିରେ ପ୍ରଭୁ ଜଗନ୍ନାଥଙ୍କର ଏକ ୨୭ ଇଂଚ ଉଚ୍ଚତା ବିଶିଷ୍ଟ କୁନି ନନ୍ଦିଘୋଷ ରଥ ତିଆରି କରି ଲୋକଲୋଚନକୁ ଆସିଥିଲେ ପୁରୀର ଏହି ଯୁବ କାରିଗର । ଏଥିପାଇଁ ସେ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇ ସାରିଥିବା ବେଳେ ଏବେ ଏସିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇବାକୁ ପ୍ରୟାସ ଜାରି ରଖିଛନ୍ତି । ଗଣେଶ ପୂଜା ଅବସରରେ ବିଶ୍ବଜିତ ଆଇସକ୍ରିମ କାଠିରେ ୫୫ ଇଞ୍ଚ ଉଚ୍ଚତର ଗଜାନନଙ୍କ ମୂର୍ତ୍ତି ନିର୍ମାଣ କରିଥିବା ବେଳେ ଏହି କଳାକୃତି ଏସିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇବ ବୋଲି ସେ ଆଶା ରଖିଛନ୍ତି ।

ସାକ୍ଷାତକାର ସମୟରେ ବିଶ୍ବଜିତ କହିଛନ୍ତିକି, ଏହି କଳାକୃତି ପାଇଁ ସେ ଦିନକୁ ୮ ରୁ ୧୦ ଘଣ୍ଟା ପରିଶ୍ରମ କରିଛନ୍ତି । ଅଧିକାଂଶ ସମୟରେ ନିଜ ନିଆରା କଳାକୃତି ପାଇଁ ଚର୍ଚ୍ଚାର ପରିସରକୁ ଆସିଥାନ୍ତି ବିଶ୍ବଜିତ । ସାଧାରଣତଃ ପୂଜା ସମୟରେ ଗଜାନନଙ୍କର ନିଆରା କଳାକୃତି ମାନ ଦେଖିବାକୁ ମିଳିଥାଏ । ବିଶ୍ୱଜିତଙ୍କ ଅନୁଯାୟୀ, ବିଭିନ୍ନ ପୂଜାପର୍ବାଣୀ ସମୟରେ ରାସାୟନିକ ରଙ୍ଗ ବ୍ୟବହାର କରାଯାଇ ବିଶାଳକାୟ ମୂର୍ତ୍ତି ମାନ ନିର୍ମାଣ କରାଯାଇଥାଏ । ଆଉ ଏହି ମୂର୍ତ୍ତି ଗୁଡିକୁ ବିସର୍ଜନ କରିବା ସମୟରେ ରାସାୟନିୟକ ରଙ୍ଗ ପ୍ରଭାବରେ ଆସି ଜଳାଶୟ ମାନ ପ୍ରଦୂଷିତ ହୋଇଥାଏ । ତେଣୁ ଏପରି ନିଆରା ଶୈଳୀରେ ନିର୍ମାଣ କଲେ ଅର୍ଥ ବଂଚିବା ସହିତ ପରିବେଶ ପ୍ରଦୂଷଣକୁ ମଧ୍ୟ ରୋକା ଯାଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like