ଚିଲିକାରେ ଫସିଥିବା ମାଲେସିଆ ଜାହାଜ ମାଲିକଙ୍କୁ ଜିଲ୍ଲା ପ୍ରଶାସନର ନୋଟିସ୍‌, ୭ ଦିନ ଭିତରେ ନେବାକୁ ନିର୍ଦ୍ଦେଶ

କେନ୍ୟୁଜ୍: ଚିଲିକାରେ ଫସିଥିବା ମାଲେସିଆ ଜାହାଜ ଘଟଣାରେ ଜିଲ୍ଲା ପ୍ରଶାସନର ନୋଟିସ୍‌ । ପଶ୍ଚିମବଙ୍ଗର ଜାହାଜ ମାଲିକ ଅମିତ ଶାହାଙ୍କୁ ନୋଟିସ୍‌ କରିଛି ଜିଲ୍ଲା ପ୍ରଶାସନ । ୭ ଦିନ ଭିତରେ ଜାହାଜ ଓ କଣ୍ଟେନର ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୨ ଦିନ ଭିତରେ ତେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ପୁରୀ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ସୂଚନା ଦେଇଛନ୍ତି ।

ସେପଟେ ଚିଲିକାରେ ଫସିଥିବା ମାଲେସିଆ ଜାହାଜରୁ କେମିତି କଢାଯିବ ତେଲ । ତେଲ ବାହାର କରିବା ପାଇଁ ସାତପଡାରେ ଏକ ୧୫ ହଜାର ଲିଟର ତେଲ ଟ୍ୟାଙ୍କର ପହଞ୍ଚିଛି । ହେଲେ ଏତେ ବଡ଼ ଟ୍ୟାଙ୍କର ଜାହାଜ ନିକଟରେ ପହଞ୍ଚାଇବା ସମ୍ଭବ ହେଉନାହିଁ । ଝୁଲା ପୋଲ ସାହାଯ୍ୟରେ ନେବା ପାଇଁ ବ୍ୟବସ୍ଥା କରାଯାଉଛି । ହେଲେ ଏହା ବି ଅସମ୍ଭବ ଲାଗୁଛି । ତେଣୁ ଜାହାଜର ତେଲ ବାହାରିବା ନେଇ ଅନିଶ୍ଚିତତା ଦେଖାଦେଇଛି । ତେଲ କାଢିବା ପାଇଁ ବାଲେଶ୍ୱରରୁ ୬ଟି ଟିମ୍‌ ଓ କୋଲକାତାରୁ ୨ଟି ଟିମ୍‌ ଆସିଛନ୍ତି । ପାଇପ ଯୋଗ ତେଲ ବାହାର କରିବା ପାଇଁ ପାଇପ୍‌ ବିଛା କାମ ସରିଛି । ଜାହାଜ ଭିତରେ ତିନିଟି ଟ୍ୟାଙ୍କରରେ ୩୩ ହଜାର ଲିଟର ତେଲ ରହିଛି । ପୂରା ପ୍ରକ୍ରିୟା ତିନି ଚାରି ଦିନ ଲାଗିପାରେ ।

ଅନ୍ୟପଟେ ଜାହାଜର କଣ୍ଟେନର ଅସୁରକ୍ଷିତ ଅବସ୍ଥାରେ ରହିଛି । କଣ୍ଟେନରର ଗୋଟିଏ ପଟ ସମୁଦ୍ର ବାଲିରେ ପୋତି ହୋଇ ଗଲାଣି । ଦୁର୍ଘଟଣାରେ ଜାହାଜ କଣ୍ଟେନରରେ ୫-୬ ଇଞ୍ଚର ଫାଟ ବି ହୋଇଥିଲା । ଅଗଷ୍ଟ ୭ ତାରିଖରେ ଯାନ୍ତ୍ରିକ ତୃଟି ଯୋଗୁ ମାଲେସିଆ ଜାହାଜ ଆସି ଚିଲିକା ରାଜହଂସ କୂଳରେ ଅଟକି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.