ଶ୍ରୀକ୍ଷେତ୍ର ଲେଖିଲା ନୂଆ ଇତିହାସ, ମହାଯଜ୍ଞ ଶେଷ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଐହିତ୍ୟ କରିଡର କାର୍ଯ୍ୟ ହେବ ଆରମ୍ଭ

କେନ୍ୟୁଜ୍(ବ୍ୟୁରୋ):  ଜଗନ୍ନାଥ ପ୍ରେମୀ ଓ ଜଗନ୍ନାଥ ସଂସ୍କୃତି ପାଇଁ ନୂଆ ଇତିହାସ। ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ସହ ଐହିତ୍ୟ କରିଡର ନିର୍ମାଣ ଆରମ୍ଭ। ତିନି ଦିନ ଧରି ଶ୍ରୀମନ୍ଦିର ଉତ୍ତର ଦ୍ୱାର ଐଶାନ୍ୟ କୋଣରେ ଚାଲିଥିଲା ମହାଯଜ୍ଞ। ୩୩ଜଣ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ବେଦପାଠରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ। ଶିଳାବିଜେ, ଶିଳାସ୍ଥାପନ ପରେ ଗଜପତି ମହାରାଜଙ୍କ ପୌରୋହିତ୍ୟରେ ହୋଇଥିଲା ପୂର୍ଣ୍ଣାହୁତି। ଅନ୍ତିମ ଦିନରେ ଶିଳାନ୍ୟାସ ଉତ୍ସବରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ। ସକାଳ ୯.୩୦ ମିନିଟ୍‌। ପହଞ୍ଚିଥିଲେ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଓ 5T ସଚବି ଭି କେ ପାଣ୍ଡିଆନ ଶ୍ରୀମନ୍ଦିର ସିଂହଦ୍ୱାରରେ ପତିତପାବନଙ୍କୁ ଦର୍ଶନ କରିଥିଲେ। ଜୟ ଜଗନ୍ନାଥ କହି ସମସ୍ତଙ୍କୁ ହାତ ହଲାଇ ଶୁଭେଛା ଜଣାଇଥିଲେ ନବୀନ । ଶିଳାନ୍ୟାସକୁ ଐତିହାସିକ ଦିନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

cm naveen in puri

 ଶିଳାପୂଜା ପରେ ଐତିହ୍ୟ କରିଡର ପାଇଁ ଜମିଦାନ କରିଥିବା ଚାରୋଟି ମୌଜାର ୧୦୭ଜଣଙ୍କୁ ସମ୍ମାନିତ କରିଥିଲେ ମୁଖ୍ୟମନ୍ତ୍ରୀ। ପରିକ୍ରମା ପ୍ରକଳ୍ପ ସାକାର ରୂପ ନେବାକୁ ଯାଉଥିବାରୁ ସମ୍ମାନିତ ହୋଇ ବେଶ ଖୁସି ପ୍ରକାଶ କରିଛନ୍ତି ସମ୍ମାନିତ ବ୍ୟକ୍ତି। ଐତିହ୍ୟ କରିଡର ସଂପନ୍ନ ହେବା ପରେ ଶ୍ରୀମନ୍ଦିର ଚୌହଦୀର ପ୍ରତିଟି କାରୁକାର୍ଯ୍ୟରେ ଝଲସିବ ଓଡ଼ିଆ ଐତିହ୍ୟ, ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ଛାପ। ପୁରୀ ବିଶ୍ୱ ଐତିହ୍ୟ ସହରୀ ପାଲଟିବ। ଚାରିପାଖର ସୌନ୍ଦର୍ଯ୍ୟକରଣ ଦ୍ୱାରା ନିଆରା ଅନୁଭୂତି ପାଇବେ ଭକ୍ତ ଓ ଶ୍ରଦ୍ଧାଳୁ। ଆସନ୍ତା ଦେଢବର୍ଷ ଭିତରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପରିକ୍ରମା ପ୍ରକଳ୍ପକୁ ବିଜେପି ସ୍ୱାଗତ କରିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏଭଳି କାର୍ଯ୍ୟକ୍ରମ ଅଭିନନ୍ଦନୀୟ ବୋଲି କହିଛନ୍ତି।

 ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୁରୀର ପ୍ରତି ଘର ଦୁଆରରେ ଝୋଟି ସହ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ସଂକୀର୍ତ୍ତନ, ଓଡିଶୀ, ଭଜନ, ଜଣାଣ ପରିବେଷଣ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି ଐତିହାସିକ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଡିଜିପି, ବିଧାନସଭା ବାଚସ୍ପତି ଓ ରାଜ୍ୟ କ୍ୟାବିନେଟର ବହୁ ମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ସମୟରେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ପାଇଁ ଖୋଲା ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.