ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ମହାପ୍ରଭୁଙ୍କ ଜମିକୁ ଜବରଦଖଲ କରି ବିକ୍ରି ପ୍ରସଙ୍ଗ, ମହାପ୍ରଭୁଙ୍କ ଜମି ମୁକୁଳାଇବାକୁ ପ୍ରଶାସନର ଆକ୍ସନ

ପୁରୀ: ଶ୍ରୀକ୍ଷେତ୍ର ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ନାମରେ ଥିବା ଜମିକୁ ଜବରଦଖଲ କରି ପ୍ଲଟିଂ କରି ବିକ୍ରି କରିବା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ଆକ୍ସନ ମୋଡରେ । ଏନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁମ୍ଭାରପଡ଼ା ଥାନାରେ ଏତଲା ଦିଆଯାଇଛି। ଏହି ଅଭିଯୋଗ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନଜରକୁ ଆସିବା ପରେ ସେ ପ୍ରାଥମିକ ତଦନ୍ତ କରିବାକୁ ଉନ୍ନୟନ ପ୍ରଶାସକ ଏବଂ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହା ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଘଟଣା ସମ୍ପର୍କରେ ଏସପିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ମହାପ୍ରଭୁଙ୍କ ନାଁରେ ଥିବା ଜମିକୁ ବେଆଇନ ଭାବେ ହାତେଇବାକୁ ହେଉଥିବା କୌଣସି ଉଦ୍ୟମକୁ କଦାପି ବରଦାସ୍ତ କରାଯିବ ନାହିଁ । ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୂର୍ବରୁ ମାଟିତୋଟା ଅଞ୍ଚଳରେ ହୋଇଥିବା ଏଭଳି ଜମି ଚଞ୍ଚକତା ଉଦ୍ୟମ ବିରୋଧରେ ବାସେଳିସାହି ଥାନାରେ ଏତଲା ହୋଇଥିବା ବେଳେ ପୁରୀ ପୋଲିସ ମଧ୍ୟ ତ୍ଵରିତ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିର ବେଆଇନ୍ ହସ୍ତାନ୍ତର ସମ୍ପୂର୍ଣ୍ଣ ଅବୈଧ । ଏହା ଦ୍ଵାରା ସଂପୃକ୍ତ ବ୍ଯକ୍ତି ନିଜେ ଠକେଇ ଶିକାର ହେବା ସହ ଆଇନ ଅନୁଯାୟୀ ଦଣ୍ଡନୀୟ ମଧ୍ୟ ହେବେ । ଶ୍ରୀମନ୍ଦିର ପ୍ରଶାସନ ଓ ତହସିଲ କାର୍ଯ୍ୟାଳୟର ଏକ ଟିମ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।