ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପ୍ରସ୍ତୁତି ନେଇ ହେବ ଆଲୋଚନା

ପୁରୀ (କେନ୍ୟୁଜ): ଆଜି ଅପରାହ୍ନରେ ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ବସିବ ପରିଚାଳନା କମିଟି ବୈଠକ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ରହିବେ।‌ ଶ୍ରୀମନ୍ଦିର ଗୁରୁକୁଳ ନିର୍ମାଣ ତଥା ଏହାର ପରିଚାଳନା ସହ ଏମଓୟୁ ଉପରେ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି। ସେହିପରି ଭକ୍ତଙ୍କ ଗହଣରେ ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଓ ଘୋଷଯାତ୍ରା କିଭଳି ଅନୁଷ୍ଠିତ ହେବ ସେନେଇ ଆଲୋଚନା ହେବାର ସମ୍ଭାବନା ରହିଛି।

କରୋନା ଯୋଗୁଁ ଦୁଇବର୍ଷ ଧରି ବିନା ଭକ୍ତରେ ସ୍ନାନଯାତ୍ରା ହେଉଥିଲା । କିନ୍ତୁ କରୋନା ସଂକ୍ରମଣ କମିଥିବାରୁ ଏଥର ଭକ୍ତଙ୍କ ଗହଣରେ ସ୍ନାନଯାତ୍ରା ହେବା ନେଇ ସୂଚନା ମିଳିଛି । ସ୍ନାନ ମଣ୍ଡପ ତଳେ ଛିଡ଼ା ହୋଇ ଭକ୍ତମାନେ କିଛି ସମୟ ପାଇଁ ମହାପ୍ରଭୁଙ୍କ ଦର୍ଶନ କରିବେ । ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କୁ ହାତୀ ବେଶରେ ଭକ୍ତ ଦର୍ଶନ କରିବେ । ସେହିପରି ଆଜିର ବୈଠକରେ ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗ ମଧ୍ୟ ଉଠିପାରେ ।

Leave A Reply

Your email address will not be published.