ଉତ୍ସବମୁଖର ଶ୍ରୀକ୍ଷେତ୍ର: ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳିଚହଳି, ଆସନ୍ତାକାଲିଠୁ ୩ ଦିନ ଧରି କରାଯିବ ଯଜ୍ଞ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଶ୍ରୀକ୍ଷେତ୍ର ଉତ୍ସବମୁଖର । ଚାରିଆଡ଼େ ଶୁଭୁଛି ଜୟ ଜଗନ୍ନାଥ ଧ୍ବନି । ଆଧ୍ୟାତ୍ମିକ ପରିବେଶରେ ଉଛୁଳି ଉଠୁଛି ନୀଳାଚଳ ଧାମ । ଚାକଚକ୍ୟ ସାଜସଜ୍ଜା । ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳିଚହଳି ଆରମ୍ଭ ହୋଇ ଗଲାଣି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି ବି ଶେଷ ହେଲାଣି ।

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଶ୍ରୀକ୍ଷେତ୍ର ଉତ୍ସବମୁଖର । ଚାରିଆଡ଼େ ଶୁଭୁଛି ଜୟ ଜଗନ୍ନାଥ ଧ୍ବନି । ଆଧ୍ୟାତ୍ମିକ ପରିବେଶରେ ଉଛୁଳି ଉଠୁଛି ନୀଳାଚଳ ଧାମ । ଚାକଚକ୍ୟ ସାଜସଜ୍ଜା । ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳିଚହଳି ଆରମ୍ଭ ହୋଇ ଗଲାଣି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି ବି ଶେଷ ହେଲାଣି । ଗତକାଲିଠାରୁ ଆରମ୍ଭ ହୋଇଛି ପୂଜାବିଧି । ଅଙ୍କୁର ପୂଜନ କରାଯାଇଛି । ଆଜି ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ୱଜାସ୍ଥାପନ ଓ ତୋରଣ ସ୍ଥାପନ ହେବ । ୪୮ ଜଣ ଶୋତ୍ରୀୟ ବ୍ରାହ୍ମଣଙ୍କ ଦ୍ଵାରା ଆସନ୍ତାକାଲିଠୁ ୩ ଦିନ ଧରି ଯଜ୍ଞ କରାଯିବ। ଶ୍ରୀମନ୍ଦିର ଚାରି ଦ୍ବାରରେ କରାଯିବ ବେଦ ପାଠ ।
ଏଥିପାଇଁ ଯଜ୍ଞ ମଣ୍ଡପ ଭଳି ଚାରି ଦ୍ଵାରରେ ସ୍ଵତନ୍ତ୍ର ଭାବେ ମଣ୍ଡପ ପ୍ରସ୍ତୁତ କରାଯାଇଛି। ୬୦ ଜଣ ବିଦ୍ୟାର୍ଥୀ ବେଦ ପାଠ କରିବେ । ପୂର୍ବ ବା ସିଂହଦ୍ଵାରରେ ଋକ୍ ବେଦ, ପଶ୍ଚିମ ଦ୍ଵାରରେ ସାମ ବେଦ, ଉତ୍ତର ଦ୍ଵାରରେ ଅଥର୍ବ ବେଦ ଓ ଦକ୍ଷିଣ ଦ୍ଵାରରେ ଯଜୁର୍ବେଦ ପାଠ କରାଯିବ । ପ୍ରତିଦିନ ହଜାରେ ଲେଖାଏ ହିସାବରେ ଦିଆଯିବ ୩୦୦୦ ଆହୁତି । ୧୭ ତାରିଖ ବୁଧବାର ସକାଳ ୭ଟାରୁ ଆରମ୍ଭ ହୋଇଯିବ ପୂଜା ଓ ପ୍ରତିଷ୍ଠା କାର୍ଯ୍ୟ ।
ଅପରାହ୍ନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ଶୁଭ ମୁହୂର୍ତ୍ତରେ ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଦିନ ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଯଜ୍ଞ ପୂର୍ଣ୍ଣାହୂତି ଦେବେ । ଅପରାହ୍ନ ୩ଟା ପରେ ପରିକ୍ରମା ମାର୍ଗକୁ ଯାଇ ପାରିବେ ସାଧାରଣ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୫ ଥାକିଆ ସୁରକ୍ଷା ବ୍ୟବସ୍ଥାରେ ୪୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।