ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା : ନୀଳକନ୍ଦରକୁ ଫେରିବେ ନୀଳମଣି

ପୁରୀ :ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା। ଏଥିପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ପାଖରେ ୩ ରଥ ଏବେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପେକ୍ଷାରେ। ମହାପ୍ରଭୁ ରଥାଋୂଢ଼ ହୋଇ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ। କଡ଼ା ପୋଲିସ ସୁରକ୍ଷା ମଧ୍ୟରେ ଶ୍ରଦ୍ଧାଳୁମାନେ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଟାଣି ଟାଣି ନେବେ ।

ଏଥିପାଇଁ ରଥ, ପଥ ଏବେ ମୁଖରିତ । ଜୟଜଗନ୍ନାଥ ଧ୍ୱନିରେ ଚାରିଆଡ଼ ପ୍ରକମ୍ପିତ । ଆଜି ତିନି ରଥ ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ଲାଗିବ । ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଫେରିବା ବାଟରେ ପୋଡ଼ ପିଠା ଖାଇବା ପାଇଁ ମାଉସୀମା ମନ୍ଦିର ନିକଟରେ କିଛି ସମୟ ଅଟକିବେ । ପୁରୀରେ ବାହୁଡ଼ା ଯାତ୍ରା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୪୦ ପ୍ଲାଟୁନ ପୋଲିସ ଓ ୧ ହଜାରରୁ ଅଧିକ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । ବଡ଼ଦାଣ୍ଡରେ ବର୍ଷା ଜଳ ସମସ୍ୟା ସୃଷ୍ଟି କରିବା ଆଶଙ୍କା ଥିବାରୁ ଜଳ ନିଷ୍କାସନ ସହ ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ଶୃଙ୍ଖଳିତ ରଥଟଣାକୁ ଗୁରୁତ୍ୱ ଦିଆଯାଉଛି । ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ ।