ପୁରୀ : ପୁରୀରେ ଆଜିଠୁ ଆରମ୍ଭ ହୋଇଛି ରଥଭଙ୍ଗା କାମ । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଆଜି ଭୋଇ ସେବକମାନେ ରଥ ଭଙ୍ଗା କାର୍ଯ୍ୟ କରିଛନ୍ତି । ତେବେ ପ୍ରଥମେ ମା’ ସୁଭଦ୍ରାଙ୍କ ଦେବଦଳନ ରଥର କଳସରୁ ଭଙ୍ଗା କାମ ଆରମ୍ଭ ହୋଇଛି । ମୁଖ୍ୟ ଭୋଇ ସର୍ଦ୍ଦାରଙ୍କ ନିର୍ଦ୍ଦେଶକ୍ରମେ ୮ ଜଣ ପ୍ରମୁଖ ଭୋଇ ଉପସ୍ଥିତ ରହି ରଥଭଙ୍ଗା କାର୍ଯ୍ୟ ଆରମ୍ଭ କରିଥାନ୍ତି । ପ୍ରଥମେ ଦେବଦଳନ, ପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବା ପରମ୍ପରା ରହିଛି । ରଥର ଚକ, ପ୍ରଭା, ଦ୍ୱାର ବେଢା, କଣଗୁଜକୁ ଶ୍ରୀମନ୍ଦିର ପ୍ରଶାସନ ନିଲାମ କରିଥାଏ । ଅନ୍ୟ ଟୁକୁରା କାଠ ମହାପ୍ରଭୁଙ୍କ କୋଠଭୋଗ ପ୍ରସ୍ତୁତିରେ ଜାଳ ଭାବେ ବ୍ୟବହାର ହୋଇଥାଏ । ତିନି ରଥ ଭଙ୍ଗା କାମ ୧୦ରୁ ୧୨ ଦିନ ଭିତରେ ଶେଷ ହେବ ବୋଲି କହିଛନ୍ତି ମୁଖ୍ୟ ଭୋଇ ସର୍ଦ୍ଦାର ।
ସେପଟେ ଦେବୀ ରଥରୁ ବାହାରୁଥିବା ଲୁହା କଣ୍ଟାକୁ ଫଳୁ ନ ଥିବା ଗଛରେ ବାଡେଇଲେ ଫଳ ଭରିଥାଏ ବୋଲି ବିଶ୍ୱାସ ରହୁଥିବାରୁ ଅନେକ ଭକ୍ତ ଏହି କଣ୍ଟା ସଂଗ୍ରହ କରିଥାନ୍ତି । ଶ୍ରୀମନ୍ଦିରର ଭୋଇସେବକମାନେ ଏହି ରଥଭଙ୍ଗା କାର୍ୟ୍ୟରେ ନିୟୋଜିତ ହୋଇଥିବା ବେଳେ ରଥଭଙ୍ଗା ସମୟରେ ରଥନିକଟରେ କଡାସୁରକ୍ଷା ବ୍ୟବସ୍ଥା କରାଯାଇଛି ।