ଆଜିଠାରୁ ପୁନର୍ବାର ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ମକର ସଂକ୍ରାନ୍ତି ପାଇଁ ବନ୍ଦ ଥିଲା କାମ

ପୁରୀ : ଆଜିଠାରୁ ପୁନର୍ବାର ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ରତ୍ନଭଣ୍ଡାର ପ୍ଲାଷ୍ଟର ଛଡ଼ା କାର୍ଯ୍ୟ ଶେଷ ହୋଇଛି । ଏବେ କାନ୍ଥର ମରାମତି ଓ ଯେଉଁ ପଥରରେ ଅଧିକ ଫାଟ ରହିଥିବ, ତାକୁ ପରିବର୍ତ୍ତନ କରାଯିବ । ଚଟାଣ ନୂତନ ଭାବେ କରାଯିବ । ଯେଉଁ ଦିନଠାରୁ କାମ ଆରମ୍ଭ ହେଲାଣି ସଠିକ ସମୟ ଦିଆଯାଇପାରିନି । ମକର ସଂକ୍ରାନ୍ତି ପାଇଁ ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ କାମ ବନ୍ଦ ରହିଥିଲା ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।
ଅନ୍ୟପଟେ ଜାନୁଆରୀ ୨୦ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ । ଧାଡ଼ି ଦର୍ଶନ ପାଇଁ ର୍ୟାମ୍ପ ଓ ବ୍ୟାରିକେଡ୍ ଲଗାଇବା ପ୍ରକିୟା ଆରମ୍ଭ ହୋଇଛି । ଆଉ ପରୀକ୍ଷାମୂଳକ ନୁହେଁ ଏଣିକି ସିଧାସଳଖ କାର୍ଯ୍ୟକାରୀ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
ମାର୍କେଟ ଛକ ଯାଏ ଧାଡ଼ି ହେବ । ଏହି ସମୟରେ ଶ୍ରଦ୍ଧାଳୁଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ । ଏହାଛଡ଼ା ସେଠାରେ କୁଲର ଓ ଫ୍ୟାନ୍ ର ବ୍ୟବସ୍ଥା ବି କରାଯିବ । ଭିନ୍ନକ୍ଷମ ଓ ବୟସ୍କମାନଙ୍କ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ୬ ଥାକିଆ ଧାଡି ଦର୍ଶନ ମଧ୍ୟରେ ପ୍ରଥମ ଧାଡି ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ, ଦ୍ୱିତୀୟ ଧାଡିରେ ମହିଳା, ପରେ ଛୋଟପିଲା ଓ ବରିଷ୍ଠ ନାଗରିକ ମାନଙ୍କ ହୋଇଛି କାଷ୍ଠ ନିର୍ମିତ ରାମ୍ପ ଓ ବ୍ୟାରିକେଡ୍ । ତେବେ ସମସ୍ତ ଭକ୍ତମାନେ ସାତପାହାଚ ଦ୍ବାର ଦେଇ ପ୍ରବେଶ କରିବାକୁ ଥିବାବେଳେ ମହିଳା ଓ ବରିଷ୍ଠ ନାଗରିକ ମାନେ ଘଣ୍ଟିଦ୍ବାର ପ୍ରସ୍ଥାନ କରିବେ ଏବଂ ପୁରୁଷ ଭକ୍ତମାନେ ଗାରଦଦ୍ୱାର ଦେଇ ପ୍ରସ୍ଥାନ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।