ବିକାଶ ରାସ୍ତାରେ ଆଗେଇବ ପୁରୀ, ବିକାଶ ପାଇଁ ୨୬୫ କୋଟି ଟଙ୍କାର ପ୍ରକଳ୍ପ ହେବ ଆରମ୍ଭ

ପୁରୀର ବିକାଶ ପାଇଁ ୨୬୫ କୋଟି ଟଙ୍କାର ପ୍ରକଳ୍ପ। ଅନ୍ୟାନ୍ୟ ପ୍ରକଳ୍ପ ସହ ୧୨୫୦ଟି ଦୋକାନ ଘର ନିର୍ମାଣ କରାଯିବ । ପୁରୀ ସହରର ଭିତ୍ତିଭୂମି ବିକାଶ ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଅଭଡ଼ା ଯୋଜନାରେ ୫ଗୋଟି ଭିତ୍ତିଭୂମି ବିକାଶ ପ୍ରକଳ୍ପ ଆରମ୍ଭ ହେବ। ପୁରୀର ପୁରୁଣା ଜେଲ ପରିସର, ଯାତ୍ରୀକା ଏବଂ ମ୍ୟୁନିସପାଲଟି ମାର୍କେଟର ବିକାଶ କରାଯାଇ ସେଠାରେ ୧୨୫୦ଟି ଦୋକାନ ଘର ନିର୍ମାଣ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି। ପୁରୀର ପୁରୁଣା ଜେଲ ପରିସରରେ ବହୁତଳ ବିଶିଷ୍ଟ ପାର୍କିଂ ବ୍ୟବସ୍ଥାର ବିକାଶ କରାଯିବ। ଏଠାରେ ୪୦୦ କାର୍ ପାଇଁ ପାର୍କିଂ ସୁବିଧା ରହିବ। ସେହିପରି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଲୟ ସମେତ ପୁରୀର ଥିବା ସମସ୍ତ କାର୍ଯ୍ୟାଳୟକୁ ଘୋଟିଏ ଛାତ ତଳେ ରଖାଯିବ। ପୁରୀର ମ୍ୟୁନିସପାଲଟି ମାର୍କେଟର ପୁନରୁଦ୍ଧାର କରାଯାଇ ଏହାକୁ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକସରେ ପରିଣତ କରାଯିବ। ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଅର୍ତ ବିଭାଗର ପ୍ରମୁଖ ସଚିବ, ପୂର୍ତ୍ତ ସଚିବ ଓ ପୁରୀର ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।