ପୁରୀ : ରାତି ପାହିଲେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ସଜେଇ ହେଉଛି ଶ୍ରୀକ୍ଷେତ୍ର । ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି । ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ରଥଯାତ୍ରା ଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଭକ୍ତଙ୍କ ଲାଗିଲାଣି ଗହଳି ଚହଳି । ଆଜି ଶ୍ରୀ ମନ୍ଦିରରେ ସକାଳ ଧୂପ ଶେଷ ହେବା ପରେ ପଟି ଦିଅଁଙ୍କ ନିକଟରୁ ତିନୋଟି ଆଜ୍ଞା ମାଳ ରଥ ଖଳାକୁ ବିଜେ କରିବା ପରେ ତିନି ରଥକୁ ସିଂହଦ୍ୱାର ସମ୍ମୁଖ ଚକଡ଼ାକୁ ଟଣା ଯାଇ ନିଆଯିବ ।
ପୋଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ୩ ରଥକୁ ସିଂହଦ୍ବାର ଚକଡ଼ାକୁ ଟାଣି ନେଇ ଉତ୍ତର ମୋଡ଼ ଦେବେ। ଘୋଷ ଯାତ୍ରା ଲାଗି ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ । ରଥଯାତ୍ରା ପାଇଁ ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି । ସୁରକ୍ଷା ବ୍ଲାଙ୍କେଟ ଓ ସିସିଟିଭି ସୁରକ୍ଷା ବଳୟରେ ରହିବ ଶ୍ରୀକ୍ଷେତ୍ର। ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ। ଜନଗହଳି ନିୟନ୍ତ୍ରଣ ପାଇଁ ବଡଦାଣ୍ଡ ୬ଟି ଜୋନରେ ବିଭକ୍ତ ହୋଇଛି।
ଚଳିତ ବର୍ଷ ରଥଯାତ୍ରାରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନସର ସହାୟତା ନିଆଯିବ। ଏହା ସହ ଅତ୍ୟାଧୁନିକ ଜ୍ଞାନ କୌଶଳ ଓ ସିସିଟିଭି କ୍ୟାମେରାର ସହାୟତା ନିଆଯିବ। ତିନି ଠାକୁରଙ୍କ କର୍ଡନ ଦାୟିତ୍ବରେ ୩ କମ୍ପାନୀ ରାପିଡ ଆକ୍ସନ ଫୋର୍ସ,୨ କମ୍ପାନୀ ସିଆରପିଏଫ ଓ ୮ ଟି ଏସଓଜି ଟିମ ମୁତୟନ ରହିବେ।