ଗଡ଼ିଲା ୨ କିଲୋମିଟର ଲମ୍ବା ପାଇଥନ୍ ଟ୍ରେନ୍, ପ୍ରଥମ ଥର ପରୀକ୍ଷାମୂଳକ ଭାବରେ ଓଡ଼ିଶାରେ ଚଳାଚଳ ଆରମ୍ଭ

ସମ୍ବଲପୁର : ପୂର୍ବତଟ ରେଲେଓ୍ଵ ଅଧୀନରେ ଗଡ଼ିଲା ୨ କିଲୋମିଟର ଲମ୍ବ ପାଇଥନ୍ ଟ୍ରେନ୍। ଓଡ଼ିଶାରେ ପ୍ରଥମ ଥର ପରୀକ୍ଷାମୂଳକ ଭାବରେ ଏହି ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ୩ଟି ମାଲବାହୀ ଟ୍ରେନ୍କୁ ଏକାଠି ଯୋଡ଼ାଯାଇଛି। ଗୋଟିଏ ରେକ୍ରେ ୪୫ଟି ଓ୍ଵାଗନରେ ମାଲ୍ ଥିବା ବେଳେ ଅନ୍ୟ ୫୧ଟି ଓ୍ଵାଗନରେ ଥିଲା ଆଲୁମିନିୟମ୍। ତୃତୀୟ ଓ୍ଵାଗନଟି ଖାଲି ରହିଥିଲା। ସମ୍ବଲପୁର ଡିଭିଜନର ଗୋଡ଼ଭଗା ଓ ବଲାଙ୍ଗିର ଷ୍ଟେସନ ମଧ୍ୟରେ ସଫଳତାର ସହ ଅତିକ୍ରମ କରିଥିଲା ଏହି ଟ୍ରେନ୍। ପାଖାପାଖି ଦୁଇ କିଲୋମିଟର ଲମ୍ବ ପାଇଥନ୍ ରେକରେ ରହିଛି ୧୪୭ଟି ଓ୍ଵାଗନ୍। ଏଥିରେ ରହିଛି ୩ଟି ବ୍ରେକ୍ ଭ୍ୟାନ୍ ଓ ୪ଟି ଇଞ୍ଜିନ୍।
ପୂର୍ବରୁ ଦେଶର ବିଭିନ୍ନ ରେଲେଓ୍ଵ ଡିଭିଜନରେ ଚଳାଚଳ କରୁଛି ପାଇଥନ୍ ରେକ୍। ତେବେ ପୂର୍ବତଟ ରେଲେଓ୍ଵ ଅଧୀନସ୍ଥ ସମ୍ବଲପୁର ଡିଭିଜନରେ ପ୍ରଥମ ଥର ପାଇଥନ୍ ରେକ୍ର ଶୁଭାରମ୍ଭ କରାଯାଇଛି। ସବୁ ଠିକଠାକ୍ ରହିଲେ, ଆଗକୁ ଅନ୍ୟ କିଛି ରୁଟ୍ରେ ଏହାର ଚଳାଚଳ କରାଯିବ। ଏହାଦ୍ୱାରା କମିବ ଖର୍ଚ୍ଚକାଟ। ସେହିପରି ସ୍ୱଳ୍ପ ମାନବ ସମ୍ବଳରେ ଏହା ଚଳାଚଳ କରିପାରିବ। ଏହା ବ୍ୟତୀତ ଅନ୍ୟ କୌଣସି ଷ୍ଟେସନରେ ପାସେଞ୍ଜର ଟ୍ରେନକୁ ଆଉ ଅଟକିବା ପାଇଁ ପଡ଼ିବ ନାହିଁ। ୨୦୧୧ରୁ ଦେଶରେ ପାଇଥନ୍ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା।