ଐତିହାସିକ ପୀଠର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ହୋଇଯାଇଛି ରାଣୀଝୁଲା ମହୋତ୍ସବ ୨୦୨୫

ସୁବର୍ଣ୍ଣପୁର: ଧିରେ ଧିରେ ଆକର୍ଷିତ ହେଉଛି ଐତିହାସିକ ରାଣିଝୁଲା ପାହାଡ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରହିଥିବା ଐତିହାସିକ ରାଣୀଝୁଲାକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ପୁର୍ବରୁ କେବଳ ପ୍ରାକୃତିକ ବନାନି ମଧ୍ୟରେ ପାହାଡରେ ଆକର୍ଷଣୀୟ ଗୁମ୍ଫା ରହହିଥିବାବେଳେ ପାହାଡ ଶିଖରରେ ପ୍ରଥମେ ରାମଚନ୍ଦ୍ରଙ୍କ ପ୍ରତିମୁର୍ତ୍ତି ପରେ ଭୋଲେବାବା ଶିବଙ୍କ ମୁର୍ତ୍ତି ସ୍ଥାପନ,ଗଣେଶ ମୁର୍ତ୍ତି, ଶିବ ଲିଙ୍ଗ ଆଉ ଏବେ ଆରମ୍ଭ ହୋଇଛି ମହୋତ୍ସବ । ଏହି ଐତିହାସିକ ପୀଠର ପ୍ରଚାର ପ୍ରସାର ପାଇଁ ଚଳିତ ବର୍ଷ ଚତୁର୍ଥ ବର୍ଷ ପାଇଁ ରାଣୀଝୁଲାରେ ଅନୁଷ୍ଠିତ ହୋଇଯାଇଛି ରାଣୀଝୁଲା ମହୋତ୍ସବ ୨୦୨୫ । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ କମସରାଠାରେ ଥିବା ରାଣୀଝୁଲାର ଏହି ଚତୁର୍ଥ ମହୋତ୍ସବରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ଏହି ପୀଠର ଦର୍ଶନ କରିବା ସହ ଝରଣା,ଗୁମ୍ଫାସହ ପ୍ରଭୁ ରାମଚନ୍ଦ୍ର ଏବଂ ଭୋଲେନାଥଙ୍କ ଦର୍ଶନ କରି ଜୀବନକୁ ଧନ୍ୟ ମଣିଛନ୍ତି ।
ଏଇ ଐତିହାସିକ ପାହାଡର ଅନେକ ମହତ୍ଵ ରହିଛି । ଇଂରେଜ ଶାସନ ସମୟରେ ଯେତେବେଳେ ସୋନପୁର ଦରବାରକୁ ଆକ୍ରମଣ କରି ସୋନପୁର ମହାରାଜାକୁ ବନ୍ଦି କରାଯାଇଥିଲା ସେତେବେଳେ ସୋନପୁରର ତତ୍କାଳିନ ମହାରାଣୀକୁ ଏହି ପାହାଡର ଗୁମ୍ଫାରେ ଲୁଚାଯାଇଥିବା ଇତିହାସରେ ଉଲ୍ଲେଖ ରହିଛି । ତତ୍କାଳିନ କମସରା ଜମିଦାର ସହ ସୋନପୁର ମହାରାଜାଙ୍କ ଭଲ ସମ୍ପର୍କ ରହିଥିବାରୁ ତାଙ୍କ ସହେଯାଗରେ ମହାରାଣୀଙ୍କୁ ଏହି ଗୁମ୍ଫାରେ ଗୋପନରେ ରଖାଯାଇଥିଲା । ଏଣୁ ଐତିହାସିକ ଦୃଷ୍ଟିକୋଣରୁ ଏହି ପାହାଡ ବେଶ ମହତ୍ତ୍ବ ରଖେ । ବର୍ଷର ବିଭିନ୍ନ ସମୟରେ ଆଖପାଖ ସମେତ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ମାନେ ଏହି ସ୍ଥାନକୁ ବୁଲି ଆସୁଥିବାରୁ ଏବେ ଏହି ପୀଠର ଉନ୍ନତି ସହ ଏହାକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ଦାବିରେ ଏ ବର୍ଷ ଚତୁର୍ଥ ଥର ପାଇଁ ପାହାଡର ପାଦ ଦେଶରେ ଅନୁଷ୍ଠିତ ହୋଇଛି ମହୋତ୍ସବ । ନାମ ସଂକିର୍ତ୍ତନ ସହ ପ୍ରଭୁଙ୍କ ଗୁଣଗାନ କରି ଏହା ପ୍ରଚାର ପ୍ରସାର ଉଦ୍ୟମ କରାଯାଇଥିବା ଆୟୋଜକ କହିଛନ୍ତି ।