ବିରଳ ରଥଯାତ୍ରା ପରମ୍ପରା, ଏଠାରେ ଛେରା ପହଁରା କରନ୍ତି ରାଣୀ

ବିରଳ ରଥଯାତ୍ରା । ମହାରାଣୀ କଲେ ଛେରା ପହଁରା । ପୁରୀ ଶ୍ରୀକ୍ଷେତ୍ର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ରଥଯାତ୍ରା । ଏହି ସମୟରେ ଦେଖିବାକୁ ମିଳେ ଭିନ୍ନ ଭିନ୍ନ ପ୍ରଥା ଓ ପରମ୍ପରା । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଗଡ଼ମଧୁପୁର ଜଗନ୍ନାଥ ମନ୍ଦିର । ରାଜ ରାଜୁଡା ଶାସନ ସମୟରୁ ଏଠାରେ ମହାପ୍ରଭୁ ତଥା ଜଗତରନାଥ ଜଗନ୍ନାଥଙ୍କ ରଥଯାତ୍ରା ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଆସୁଛି । ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଏହି ଜଗନ୍ନାଥ ମନ୍ଦିର ଭକ୍ତଙ୍କୁ ଆକୃଷ୍ଟ କରିବା ସହ ଏଠାରେ ବର୍ଷ ଯାକ ଭକ୍ତମାନଙ୍କ ଗହଳି ଲାଗିଥାଏ । ଗଡ଼ମଧୁପୁରର ରାଜା ସ୍ବର୍ଗତ ସୁଦର୍ଶନ ଚନ୍ଦ୍ର ଧୀର ନରେନ୍ଦ୍ର ୧୭୭୭ ମସିହାରେ ଏହି ମନ୍ଦିର ନିର୍ମାଣ କରିଥିଲେ । ଅବିକଳ ପୁରୀ ମନ୍ଦିର ଶୈଳୀରେ ନିର୍ମିତ ହୋଇଛି ଏହି ମନ୍ଦିର । ରାଜବାଟି ବଂଶାବଳୀ ଅନୁଯାୟୀ ଗଡ଼ମଧୁପୁରର ଶେଷ ରାଜା କୃଷ୍ଣ ପ୍ରକାଶ ଧୀର ନରେନ୍ଦ୍ରଙ୍କ ତତ୍ୱାବଧାନରେ ଏଠାରେ ପାରମ୍ପରିକ ରୀତିନୀତିରେ ତିନି ଠାକୁରଙ୍କ ଘୋଷଯାତ୍ରା ମହାଆଡ଼ମ୍ବରରେ ପାଳିତ ହୋଇଥାଏ । ଚଳିତ ବର୍ଷ ଏହି ରଥଯାତ୍ରାରେ ହଜାର ହଜାର ଭକ୍ତ ଯୋଗଦେଇ ମହାପ୍ରଭୁଙ୍କ ଅପାର କରୁଣ ଲାଭ କରିଛନ୍ତି।

ଗଡ଼ମଧୁପୁରର ଶେଷ ରାଜା କୃଷ୍ଣ ପ୍ରକାଶ ଧୀର ନରେନ୍ଦ୍ରଙ୍କ ଦେହବସାନ ପରେ ରାଜଗାଦିରେ ଅଭିଷିକ୍ତ ହୋଇଛନ୍ତି ରାଣୀ ଅପର୍ଣ୍ଣା ଧୀର ସିଂ ଭରଦ୍ୱାଜ । ରାଣୀ ପଦରେ ଅଭିଷିକ୍ତ ହେବା ପର ଠାରୁ ଏଠାରେ ମହିଳା ଭାବରେ ରାଣୀ ଅପର୍ଣ୍ଣା ଧୀର ସିଂ ରଥରେ ଛେରା ପହଁରା କରିଆସୁଛନ୍ତି । ଦୀର୍ଘ ବର୍ଷ ଧରି ଏହି ବିରଳ ପରମ୍ପରା ଚାଲି ଆସୁଛି ।

ପ୍ରଥମେ ମନ୍ଦିରରୁ ବିଗ୍ରହ ମାନଙ୍କୁ ପହଣ୍ଡି କରି ଅଣାଯାଇ ରଥାରୂଢ କରାଯାଇଥିଲା । ପରେ ରାଜବାଟିର ବ୍ରାହ୍ମଣଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯିବା ପରେ ରଥରେ ରାଣୀ ଅପର୍ଣ୍ଣା ଛେରା ପହଁରା କରିଥିଲେ । ପରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ରଥ ଟଣା ଆରମ୍ଭ ହୋଇଥିଲା । ସବୁଠାରେ ମହାରାଜା ଛେରା ପହଁରା କରୁଥିବାବେଳେ ଏଠାରେ ସ୍ଥାନରେ ମହାରାଣୀ କରିଥାନ୍ତି ରଥରେ ଛେରା ପହଁରା । ଏଭଳି ପରମ୍ପରା ପ୍ରାୟତଃ ଆଉ କେଉଁଠି ଦେଖିବାକୁ ମିଳିନଥାଏ । ତେବେ ଗଡ଼ମଧୁପୁରରେ ରାଣୀଙ୍କର ଛେରା ପହଁରା ପରମ୍ପରା ଏହି ରଥଯାତ୍ରାର ପ୍ରମୁଖ ଆକର୍ଷଣ ପାଲଟିଥାଏ ।

Also Read:ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କୁ ଅପେକ୍ଷା କରିବାକୁ ପଡ଼ିପାରେ ୨ ଘଣ୍ଟା