ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗ । ଫଳରେ ବାତିଲ ହୋଇଛି ପରୀକ୍ଷା । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖା ଯାଇଛି ଅସନ୍ତୋଷ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ବାବା ଭୈରବାନନ୍ଦ ସ୍ଵଂୟଶାସିତ ମହାବିଦ୍ୟାଳୟରେ । ଏହି ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଭାଗର ଇଣ୍ଟରନାଲ ପରୀକ୍ଷା ହେବାର ଥିଲା । ଏଥିପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ହୋଇ ଆସିଥିଲେ। ତେବେ ବିଳମ୍ବ ହେବାରୁ ପରୀକ୍ଷାର୍ଥୀ ଅସନ୍ତୋଷ ପ୍ରକାଶ କରିବା ସହ କଲେଜ କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ପାଇନଥିଲେ। କିଛି ସମୟ ପରେ ନୋଟିସ ବୋର୍ଡରେ ପରୀକ୍ଷା ବାତିଲ ହେବା ନେଇ ସୂଚନା ଦିଆଯାଇଥିଲା । ଫଳରେ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ଆସିଥିବା ଛାତ୍ରଛାତ୍ରୀ ନିରାଶ ହୋଇଥିଲେ। ଦୁର୍ଗା ପୂଜା ଅର୍ଥାତ ଦଶହରା ପରେ ପୁଣି ପରୀକ୍ଷା ହେବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପୂଜା ଛୁଟି ହେବ। ପରେ ପରୀକ୍ଷା ହେଲେ ପରୀକ୍ଷା ଉପରେ ପ୍ରଭାବ ପଡିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।
ଏହା କୌଣସି ବୋର୍ଡ କିମ୍ବା କାଉନସିଲ ପରୀକ୍ଷା ନଥିଲା । ଏହା ମହାବିଦ୍ୟାଳୟର ପରୀକ୍ଷା ଥିବାରୁ ପ୍ରଶ୍ନ ପତ୍ର ଲିକ ଅଭିଯୋଗ ଆସିଥିଲା । ଏଣୁ ପରୀକ୍ଷାକୁ ବାତିଲ କରାଯାଇଥିବା ବେଳେ ପରୀକ୍ଷା ଦାୟିତ୍ୱରେ ଥିବା ପରିଚାଳକ ଓ କମିଟି ବୈଠକ ଡକାଇ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ମହାବିଦ୍ୟାଳୟ ଅଧ୍ୟକ୍ଷ । ତେବେ ପ୍ରଶ୍ନପତ୍ର କିଏ ଲିକ କଲା, କେଉଁଠୁ ହେଲା ଏବଂ କାହିଁକି ପରୀକ୍ଷା ବାତିଲ ହେଲା ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।