ଖୋଲୁଛି ବିଷ୍ଣୁପଦ-ଚଞ୍ଚଲ ଲିଙ୍କର ଗୁମର, ରେଡ୍‌ର ଦିନକ ପୂର୍ବରୁ ହୋଇଥିଲା ଭେଟଘାଟ

ଭୁବନେଶ୍ୱର : ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀ ଲାଞ୍ଚ ମାମଲାରେ ବଢୁଛି ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଅଡୁଆ । ବିଷ୍ଣୁପଦ ଓ ବ୍ରିଜ ଆଣ୍ଡ ରୁଫ କଂପାନୀ ଲିଙ୍କ ନେଇ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଇଷ୍ଟ କୋଷ୍ଟ ଜିଏମ୍ ବି କେ ସିଂଙ୍କ ଏକ ଚିଠି ପ୍ରଘଟ ହୋଇଛି । ଡିସେମ୍ବର ୪ରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ବ୍ୟକ୍ତିଗତ ସଚିବଙ୍କୁ ଚିଠିଟି ଲେଖାଯାଇଥିଲା । ଯେଉଁଥିରେ ବି କେ ସିଂ ଓ ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀର ଜିଜିଏମ ଚଞ୍ଚଲ ମୁଖାର୍ଜୀ ଆଇଏଏସ ବିଷ୍ଣୁପଦଙ୍କୁ ଡିସେମ୍ବର ୫ ତାରିଖରେ ଭେଟିବାକୁ ସମୟ ମାଗିଥିଲେ ।  ଏହାର ଦୁଇ ଦିନ ପରେ ୭ ତାରିଖ ରାତିରେ ଭୁବନେଶ୍ବରରେ ଏକ ହୋଟେଲ ଆଗରେ ୧୦ ଲକ୍ଷ ଟଙ୍କା ଲାଞ୍ଚ କରାବାର ମାମଲାରେ ଚଞ୍ଚଲଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା ସିବିଆଇ ।

ଟେଣ୍ଡର ହାତେଇବାକୁ ୧୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀର ଜିଜିଏମ ଚଞ୍ଚଳ ମୁଖାର୍ଜୀ , ଆଦିତ୍ୟ ଇନଫ୍ରା ଏମଡି ଦେବଦତ୍ତ ମହାପାତ୍ର ଓ ପେଣ୍ଟାଏ ଷ୍ଟୁଡିଓ ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କୁ ସିବିଆଇ ଦୁଇଟି ପର୍ଯ୍ୟାୟରେ ରିମାଣ୍ଡରେ ନେଇ ମାରାଥନ ଜେରା କରିଥିଲା ।  ପ୍ରଥମ ପର୍ଯ୍ୟାୟରେ ୩ ଦିନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫ ଦିନ ରିମାଣ୍ଡରେ ନେଇ ଗୁଡ଼ାଇ ତୁଡ଼ାଇପ୍ରଶ୍ନ କରିଥିଲା ସିବିଆଇ । ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଶେଷ ହେବା ପରେ ଚଞ୍ଚଲ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର ଓ ସନ୍ତୋଷ ମହାରଣାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।  ଏବେ ସିବିଆଇର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିଛି।