ଆସନ୍ତା ୨୮ ତାରିଖଠାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆକାଶବାଣୀରେ ପ୍ରସାରଣ ହେବ ‘ରେଡିଓ ପାଠଶାଳା’ କାର୍ଯ୍ୟକ୍ରମ

କେନ୍ୟୁଜ୍(ବ୍ୟୁରୋ): ଗତ ମାର୍ଚ୍ଚ ୧୭ ତାରିଖଠାରୁପିଲା ମାନଙ୍କର ପାଠ ପଢାରେ ବିରାଟ ପ୍ରତିବନ୍ଧକ ସୃଷ୍ଟି କରିଛି କରୋନା। ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ହେତୁ ଅନେକ ଛାତ୍ରଛାତ୍ରୀ  ଅନଲାଇନରେ ପାଠ ପଢା ଆରମ୍ଭ କରିଛନ୍ତି । କିନ୍ତୁ ଏବେ ବି ଅନେକ ଛାତ୍ରଛାତ୍ରୀ ଏହି ଅନଲାଇନ ପାଠପଢାରୁ ବଞ୍ଚିତ ହୋଇଛନ୍ତି । ଯହା ଚିନ୍ତାଜନକ ବିଷୟ। କିନ୍ତୁ ଏବେ ପାଠ ପଢାକୁ ସରଳ କରିବା ପାଇଁ ପିଲାମାନଙ୍କୁ ରେଡିଓ ପାଠଶାଳା କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷା ଦିଆଯିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଆସନ୍ତା ୨୮ ତାରିଖଠାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆକାଶବାଣୀର ସବୁ ଷ୍ଟେସନରୁ ‘ରେଡିଓ ପାଠଶାଳା’ କାର୍ଯ୍ୟକ୍ରମ ପ୍ରସାରଣ ହେବ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷଙ୍କ ତରଫରୁ ଏହି ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ସୋମବାରଠାରୁ ଶୁକ୍ରବାର ଯାଏଁ ସକାଳ ୧୦ଟାରୁ ୧୦ଟା ୧୫ ଯାଏଁ ସ୍କୁଲ ପିଲାଙ୍କୁ ରେଡିଓ ଜରିଆରେ ଶିକ୍ଷା ଦିଆଯିବ। ତେବେ ଦିନ ସହିତ ଶ୍ରେଣୀ ଅନୁସାରେ ପିଲାମାନଙ୍କର ପାଠ ପଢାଇବା ପାଇଁ ନିଷ୍ପତ୍ତି ହୋଇଛି।  ନଜର ପକାନ୍ତୁ କେଉଁ ଦିନ କେଉଁ ଶ୍ରେଣୀର ପିଲାମାନଙ୍କ ପାଇଁ ପାଠପଢାର ବ୍ୟବସ୍ଥା କରାଯାଇଛି।

ସୋମବାର ଦିନ ପ୍ରଥମ ଶ୍ରେଣୀ, ମଙ୍ଗଳବାର ଦିନ ଦ୍ୱିତୀୟ ଶ୍ରେଣୀ, ବୁଧବାର ଦିନ ତୃତୀୟ ଶ୍ରେଣୀ, ଗୁରୁବାର ଚତୁର୍ଥ ଶ୍ରେଣୀ ଓ ଶୁକ୍ରବାର ଚତୁର୍ଥ ଶ୍ରେଣୀ ପିଲାଙ୍କୁ ସକାଳ ୧୦ଟାରୁ ୧୦ଟା ୫ ପର୍ଯ୍ୟନ୍ତ ରେଡିଓ ପାଠଶାଳା କାର୍ଯ୍ୟକ୍ରମ ଆକାଶବାଣୀରେ ପ୍ରସାରଣ କରାଯିବ।

ସେହିପରି ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସୋମବାର, ଷଷ୍ଠ ଶ୍ରେଣୀ ପିଲାଙ୍କ ପାଇଁ ମଙ୍ଗଳବାର, ସପ୍ତମ ଶ୍ରେଣୀ ପିଲାଙ୍କ ଲାଗି ବୁଧବାର, ଅଷ୍ଟମ ଶ୍ରେଣୀ ପିଲାଙ୍କ ଲାଗି ପୂର୍ବାହ୍ନ ୧୦ଟା ୫ରୁ ୧୦ଟା ୧୫ ପର୍ଯ୍ୟନ୍ତ ରେଡିଓ କାର୍ଯ୍ୟକ୍ରମ ପ୍ରସାରଣ ହେବ। ଅକ୍ଟୋବର ୨ ତାରିଖ ଯାଏଁ ରେଡିଓ ପାଠଶାଳା କାର୍ଯ୍ୟକ୍ରମ ପ୍ରସାରଣ ହେବ।