ଯାଜପୁର: କାର୍ତ୍ତିକ ପୂର୍ଣ୍ଣମୀ ଠାରୁ ରସୁଲପୁରର ହରିପୁରେ ଆରମ୍ଭ ହୋଇଛି ପ୍ରସିଦ୍ଧ ରାହାସ ଯାତ୍ରା, ଉତ୍ସବ ମୁଖର ହେଉଛି ପରିବେଶ

ଯାଜପୁର(କେନ୍ୟୁଜ୍):  କାର୍ତ୍ତିକ ପୂର୍ଣ୍ଣିମାରୁ ଯାଜପୁର ଜିଲା ରସୁଲପୁର ବ୍ଲକ ହରିପୁର ଗ୍ରାମାଂଚଳ ରାହାସ ଯାତ୍ରା ପାଇଁ ହୋଇଉଠେ ଉତ୍ସବ ମୁଖର । ଅଂଚଳର ବିଭିନ୍ନ ମଠ ମନ୍ଦିରରେ ଭିନ୍ନ ଭିନ୍ନ କୁଂଜ ତିଆରି ହୋଇ ପୂଜା ପାଇଥାନ୍ତି ରାଧାକୃଷ୍ଣ ଓ ମଦନମୋହନ । କାହିଁ କୋଉ କାଳରୁ ଏହି ପରଂପରା ଚାଲି ଆସୁଥିବା ବେଳେ ଏହି ଯାତ୍ରା ଦେଖିବାକୁ ଆଖପଖ ଅଂଚଳ ସହ ଜିଲ୍ଲା ବାହାରୁ ଲୋକଙ୍କର ସୁଅ ଛୁଟିଥାଏ । କାରିଗରମାନେ ଅନେକ ଦିନ ଅଗରୁ ଲାଗିପଡିଥାନ୍ତି କୁଂଜ ଓ ମୂର୍ତି ତିଆରି କାମରେ । ବିଶେଷ ଭାବରେ କାରିଗରମାନେ ବିଭିନ୍ନ ସାମଗ୍ରୀ କୁ ବ୍ୟବହାର କରି ସାଜ୍ଜସଜ୍ଜା ଉପରେ ଗୁରତ୍ୱ ଦେଇଥାନ୍ତି । କୁଂଜକୁ ଆକର୍ଷଣୀୟ କରିବା ଲାଗି ଅନେକ ସାହିର କର୍ମକର୍ତାଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ହେଉଥିବା ଲକ୍ଷ୍ୟ କରାଯାଇଥାଏ ।

କିମ୍ବଦନ୍ତି ଅନୁସାରେ ପଂଚଦଶ ଶତାବ୍ଦୀରେ ଶ୍ରୀ ଚୈତନ୍ୟଦେବ ଶ୍ରୀକ୍ଷେତ୍ର ଯିବା ବାଟରେ ଏଇଠି କିଛି ସମୟ ଅଟକିଥିଲେ । ସେହି ସମୟରେ ଏହି ସ୍ଥାନରେ ଅନେକଲୋକ ରାଧାକୃଷ୍ଣଙ୍କ ପ୍ରେମରେ ନିଜକୁ ବାନ୍ଧି ରଖିଥିଲେ । ସେବେ ଠାରୁ ଏହି ଅଂଚଳରେ ପାଳିତ ହୋଇଆସୁଛି ରାହାସ ଯାତ୍ରା । ଯାତ୍ରା ଲାଗି ସୁସଜ୍ଜିତ ଆଲୋକମାଳାରେ ସଂପୂର୍ଣ୍ଣ ଝଲସି ଉଠୁଛି ହରିପୁର ଅଂଚଳ । ଯାତ୍ରା ଓ ଲୋକଗହଳିକୁ ନଜରରେ ରଖି ଏଠାରେ ଅନେକ ବ୍ୟବସାୟିକ ଷ୍ଟଲ ଗୁଡିକ ଖୋଲିଥିବା ବେଳେ ପ୍ରତ୍ୟେହ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି । ଏହି ସମୟରେ ବିଶେଷ ଆକର୍ଷଣ ହେଉଛି ଅପେରା ପାର୍ଟି ।

rahaspurnima 2

ବିଭିନ୍ନ କମିଟି ଏହି ସମୟରେ ଅପେରା ପାର୍ଟି ଆଣି ଦର୍ଶକମାନଙ୍କୁ ମନୋରଂଜନର ଖୋରକ ଯୋଗାଇଥାନ୍ତି । ଅନ୍ୟପକ୍ଷରେ ଦର୍ଶକମାନେ ଏଠାକୁ ସଂଧ୍ୟାରେ ଆସି ବିଭିନ୍ନ କୁଂଜ ବୁଲି ଚଟପଟି ଖାଦ୍ୟର ମଜା ନେବା ସହ ବିଭିନ୍ନ ଘରକରଣା ସାମଗ୍ରୀ କିଣିଥାନ୍ତି । ପରଂପରାକୁ ସମ୍ମାନ ଜଣାଇ ହରିପୁର ଅଂଚଳ ବାସିନ୍ଦା ପ୍ରତ୍ୟେକ ବର୍ଷ ଏହି ଯାତ୍ରାତ୍ସୋବକୁ ମହାଆଡମ୍ବର ସହକାରେ ପାଳନ କରିଆସୁଥିବା ବେଳେ ସେମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବାରେ ଏହା ସହାୟକ ହୋଇପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like