ଆସନ୍ତା ୮ରେ ରାହୁଲ ଗାନ୍ଧୀଙ୍କ ବରଗଡ଼ ଓ ଜୟପୁର ଗସ୍ତ, ଫୋକସରେ ଚାଷୀ ଓ ଯୁବବର୍ଗ

ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ୮ ତାରିଖରେ ବରଗଡ଼ ଓ ଜୟପୁର ଗସ୍ତରେ ଆସିବେ। ଦୁଇଟି ସ୍ଥାନରେ ସାଧାରଣ ସଭାରେ ଦଳୀୟ କର୍ମୀଙ୍କୁ ନିର୍ବାଚନୀ ମନ୍ତ୍ର ଫୁଙ୍କିବେ । ସଭାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା, କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ, ଟି. ଏସ ସିଂଦେଓଙ୍କ ସହ ବହୁ କଂଗ୍ରେସ ନେତା ସାମିଲ ହେବେ । ରାହୁଲଙ୍କ ଫୋକସରେ ରହିବେ ଚାଷୀ ଓ ଯୁବବର୍ଗ । ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଓଡ଼ିଶା ଗସ୍ତରେ ଆସିବା ପାଇଁ ନିମନ୍ତ୍ରଣ କରାଯାଇଥିବା କହିଛନ୍ତି ପିସିସି ସଭାପତି। ପୂର୍ବରୁ ଭୁବନେଶ୍ୱର ତମାଣ୍ଡୋ, ରାଉରକେଲା ଓ କଳାହାଣ୍ଡିରେ ସମାବେଶରେ ଯୋଗଦେଇଥିଲେ ରାହୁଲ ।
ନିର୍ବାଚନ ପୂର୍ବରୁ ପ୍ରତିମାସରେ ରାହୁଲ ଓଡ଼ିଶା ଗସ୍ତରେ ଆସିବେ ବୋଲି ଯୋଜନା ଥିଲା । ସେହି ଦୃଷ୍ଟିରୁ ଫେବ୍ରୁଆରି ଶେଷ ସପ୍ତାହରେ ତାଙ୍କର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ତାହା ବାତିଲ ହୋଇଯାଇଥିଲା । ରାହୁଲଙ୍କ ଓଡ଼ିଶା ଗସ୍ତକୁ ନେଇ ଚଳଚଞ୍ଚଳ ହୋଇଛି ରାଜ୍ୟ କଂଗ୍ରେସ । ଜିତେନ୍ଦ୍ର ସିଂହଙ୍କ ସହ ଛତିଶଗଡ଼ର ମନ୍ତ୍ରୀ ଟି. ଏସ ସିଂହଦେଓଙ୍କୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି । ପଡ଼ୋଶୀ ଛତିଶଗଡ଼ରେ କଂଗ୍ରେସକୁ ଗତ ବିଧାନସଭା ନିର୍ବାଚନରେ ସଫଳତା ମିଳିଥିଲା । ସେହି ଫର୍ମୁଲାକୁ ଓଡ଼ିଶାରେ କଂଗ୍ରେସ ଆପଣେଇବାର ଯୋଜନା ରହିଛି ।