ଜଗତପୁରରୁ ନକଲି ଟାୟାର ଗୋଦାମ ଠାବ: ଗୋଦାମ ସିଲ୍, ମାଲିକ ଗିରଫ

କଟକ : କଟକ ଜିଲ୍ଲା ପାଲଟିଛି ନକଲି ସାମଗ୍ରୀର ଆସର । ନାମୀ ଦାମୀ ଷ୍ଟିକର ଲଗେଇ ବିକୁଛନ୍ତି ନକଲି ଜିନିଷ । ଜଗତପୁର ଇମାନଗର ଖଇରା ପୋଲ ନିକଟରୁ ନକଲି ଟାୟାର ଗୋଦାମ ଠାବ କରିଛି ପୋଲିସ । କଟକ ସହରର ଏକ ବ୍ୟବସାୟ ପ୍ରତିଷ୍ଠାନର ମ୍ୟାନେଜରଙ୍କ ଅଭିଯୋଗ ଆଧାରରେ ଚଢାଉ କରାଯାଇଛି । ଗୋଦାମ ପରିସରରୁ ୪ ହଜାରରୁ ଅଧିକ ନକଲି ଟାୟାର ଯବତ କରିଛି ପୋଲିସ । ଘଟଣାରେ ଗୋଦାମ ମାଲିକ ପ୍ରଦୀପ କୁମାର ଚାମୋଲିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହାସହ ଏଥିରେ ସମ୍ପୃକ୍ତ ଥିବା ୩ ଜଣ ଗୋଦାମ କର୍ମଚାରିଙ୍କୁ ଅଟକ ରଖି ପଚରା ଉଚରା କରୁଛି ଜଗତପୁର ଥାନା ପୋଲିସ।

ସୂଚନା ଅନୁସାରେ ଏହି ଗୋଦାମରୁ ଟାୟାର ଏବଂ ଟ୍ୟୁବ୍‌ଗୁଡିକୁ ବିଭିନ୍ନ ଜିଲ୍ଲାର ଗ୍ରାମାଞ୍ଚଳକୁ ପଠାଯାଉଥିବା ନେଇ କଟକ ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ପରିଚାଳକ ଆଦିତ୍ୟ କୁମାର ଦାସ କଟକ ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଡିସିପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶକ୍ରମେ ଜଗତପୁର ଥାନା ଅଧିକାରୀ ଅନିରୁଦ୍ଧ ନାୟକ ଏବଂ ତାଙ୍କ ଟିମ୍ ଉକ୍ତ ଗୋଦାମରେ ଗୁରୁବାର ଚଢ଼ଉ କରିଥିଲେ।

ଯାଞ୍ଚ ବେଳେ ଏହି ଗୋଦାମ ଦୀର୍ଘ ୬ମାସ ଧରି ଜଗତପୁର ଅଞ୍ଚଳରେ ଚାଲୁଥିବା ଏବଂ ଅସଲି ଟାୟାର, ଟ୍ୟୁବ୍‌ଠାରୁ କମ୍ ଦରରେ ଏଗୁଡ଼ିକୁ ବିକ୍ରି କରାଯାଉଥିବା ଜଣାପଡ଼ିଥିଲା । ଜବତ ଟାୟାର, ଟ୍ୟୁବ୍‌ର ବଜାର ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଚଢ଼ଉରେ ଜଗତପୁର ଥାନା ଆଇଆଇସି ଶ୍ରୀ ନାୟକଙ୍କ ସମେତ ଏସଆଇ ମିହିର କୁମାର ରାଉତ, ଏଏସଆଇ ତପନ କୁମାର ସ୍ବାଇଁ ପ୍ରମୁଖ ସାମିଲ ଥିଲେ । ବିଗତ ଦିନରେ ଜଗତପୁର ଥାନା ଅଞ୍ଚଳରେ ସସ୍, ମସଲା, ଘିଅ, ସୋୟାବିନ୍, ସିମେଣ୍ଟ, ପାନ ମସଲା, ପାଇପ, ମୋବିଲ୍, ଚା ପତି, ଦୁଗ୍ଧ ଭଳି ନକଲି କାରଖାନା ଉପରେ ଚଢ଼ଉ କରାଯାଇଛି। କାରଖାନାଗୁଡ଼ିକୁ ସିଲ୍ କରାଯିବା ସହ ସଂପୃକ୍ତ ମାଲିକଙ୍କୁ ଗିରଫ ବି କରାଯାଇଛି। ତଥାପି ଅସାଧୁ ବ୍ୟବସାୟୀ ଏଭଳି ବେଆଇନ କାର୍ଯ୍ୟରୁ ନିବୃତ୍ତ ରହିବା ପରିବର୍ତ୍ତେ ସାଧାରଣ ଲୋକଙ୍କୁ ଠକି ମାଲାମାଲ ହେଉଛନ୍ତି ।