କଟକ ଏବଂ ରାୟଗଡ଼ାରେ ନିର୍ମାଣହେବ ରେଳ ଫ୍ଲାଏଓଭର୍, ରେଳ ମନ୍ତ୍ରଣାଳୟ ପକ୍ଷରୁ ୫୦୯ କୋଟି ମଞ୍ଜୁର
ରେଳ ଫ୍ଲାଏଓଭର ପାଇଁ ଓଡ଼ିଶାକୁ ୫୦୯ କୋଟି । ଓଡ଼ିଶାର କଟକ ଏବଂ ରାୟଗଡା ଜିଲ୍ଲାରେ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ୫୦୯ କୋଟି ଟଙ୍କା ଅନୁମୋଦନ । ଏହି ପଦକ୍ଷେପ ଭାରତୀୟ ରେଳର ଭିତ୍ତିଭୂମି ସୁଦୃଢ କରିବ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ଗତ ଓଡିଶା ଗସ୍ତ ସମୟରେ ଓଡିଶାରେ ଏହି ରେଳ ଭିତ୍ତିଭୂମି ପ୍ରକଳ୍ପର ମଞ୍ଜୁରୀ ବିଷୟରେ ଉଲ୍ଲେଖ କରିଥିଲେ ।
ଟ୍ରେନ୍ କାର୍ଯ୍ୟକ୍ଷମତା ବୃଦ୍ଧି ଏବଂ ଯାତାୟାତ ସୁଗମ ପାଇଁ ନୂତନ ଭିତ୍ତିଭୂମି ନିର୍ମାଣ ହେବ । କଟକ ଜିଲ୍ଲାର ରାଜଆଠଗଡ଼-ରାଧାକିଶୋରପୁର ଏବଂ ମାଛପୁର ମଧ୍ୟରେ ୧୦.୮୯ କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏଓଭର ହେବ । ଏହି ଭିତ୍ତିଭୂମି କ୍ରସ୍ ଟ୍ରାଫିକ୍ ଜନିତ ସମସ୍ୟାକୁ ଦୂରକାରୀ ଏକକାଳୀନ ଟ୍ରେନ୍ ଚଳାଚଳକୁ ସୁଗମ କରି କାର୍ଯ୍ୟକ୍ଷମ ସହ କ୍ଷମତା ବୃଦ୍ଧି କରିବ । ଏହି ପ୍ରକଳ୍ପ ପାଇଁ ମୋଟ ମୂଲ୍ୟ ୨୬୮.୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ।
ସେହିପରି ରାୟଗଡା ଜିଲ୍ଲାର ସିଙ୍ଗାପୁର ରୋଡ ଷ୍ଟେସନରେ ୫.୫୦ କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏ ଓଭର ନିର୍ମାଣ ହେବ, ଯାହା ରାୟପୁର-ବିଜୟନଗରମ ରେଳ ଲାଇନରେ ଟ୍ରାଫିକ ସମସ୍ୟାକୁ ଦୂର କରିବ । ଏହି ବିକାଶ ସିଙ୍ଗାପୁର ରୋଡ଼ ଷ୍ଟେସନ ସହ ପାର୍ଶ୍ଵବର୍ତ୍ତୀ ଷ୍ଟେସନରେ ନିରବଚ୍ଛିନ୍ନ ଟ୍ରେନ୍ ଚଳାଚଳ ପାଇଁ ଅନୁମତି ଦେବ, କ୍ରସ୍ ଟ୍ରାଫିକ୍ କାରଣରୁ ସୃଷ୍ଟି ହେଉଥିବା ବିଳମ୍ବକୁ ଏଡାଇବ । ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୨୩୯.୮୩ କୋଟି ଟଙ୍କା ଅଟେ ।