ସାଂସଦଙ୍କ ପ୍ରଶ୍ନର ଉତ୍ତର ରଖିଲେ ରେଳମନ୍ତ୍ରୀ, ଜାଣନ୍ତୁ କାହିଁକି ଆରମ୍ଭ ହୋଇପାରୁନାହିଁ ଜଳେଶର-ଦୀଘା ରେଳ ଲାଇନ୍‌ କାମ

କେନ୍ଯୁଜ୍: ପଶ୍ଚିମବଙ୍ଗ ସରକାର ଆବଶ୍ୟକ ଜମି ଅଧିଗ୍ରହଣ କରି ନ ଥିବାରୁ ଜଳେଶର- ଦୀଘା, ୪୧କି.ମିର ନୂଆ ରେଳ ଲାଇନ୍‌ ନିର୍ମାଣ କାମ ଆରମ୍ଭ ହୋଇପାରୁନାହିଁ। ବୁଧବାର କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ଜଳେଶ୍ୱର-ଦୀଘା ନୂଆ ରେଳ ଲାଇନ୍‌ ନିର୍ମାଣ ଓ ବାଂଶପାଣି- ବଡବିଲ୍‌ ରେଳ ଲାଇନ୍‌ ପ୍ରକଳ୍ପ ନେଇ ସଂସଦରେ ସାଂସଦ ଡ. ସାମନ୍ତ ପଚାରିଥିବା ଲିଖିତ ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ ବୈଷ୍ଣବ କହିଥିଲେ, ୨୦୧୦-୧୧ ଆର୍ଥିକ ବର୍ଷରେ ଦୀଘାଠାରୁ ଜଳେଶ୍ୱର ୪୧ କିଲୋମିଟର ନୂଆ ରେଳ ଲାଇନ୍‌ ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ପ୍ରକଳ୍ପର ସମ୍ଭାବ୍ୟ ବ୍ୟୟ ଅଟକଳ ହେଉଛି ୧୫୮୪କୋଟି ଟଙ୍କା। ମାତ୍ର ପଶ୍ଚିମବଙ୍ଗ ସରକାର ଏହି ପ୍ରକଳ୍ପ ପାଇଁ ପଶ୍ଚିମବଙ୍ଗରେ ଆବଶ୍ୟକ ଜମି ଅଧିଗ୍ରହଣ କରି ନ ଥିବାରୁ ଏହା କାର୍ଯ୍ୟକାରୀ ହୋଇ ପାରୁନାହିଁ ବୋଲି ରେଳମନ୍ତ୍ରୀ କହିଛନ୍ତି।

ସେହିପରି ଓଡ଼ିଶା ସରକାର ଓ ରେଳ ମନ୍ତ୍ରାଳୟର ମିଳିତ ଉଦ୍ୟୋଗରେ ବାଂଶପାଣି-ବଡବିଲ୍‌ ରେଳ ଲାଇନ୍‌ ନିର୍ମାଣ ପ୍ରକଳ୍ପକୁ ରେଳ ମନ୍ତ୍ରାଳୟ ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି। କିନ୍ତୁ ପ୍ରକଳ୍ପକୁ ଏଯାଏ ମଞ୍ଜୁରୀ ପ୍ରଦାନ କରାଯାଇନାହିଁ। ତେଣୁ ୨୦୧୬-୧୭ ଆର୍ଥିକ ବର୍ଷରେ ଏଥିପାଇଁ ଅର୍ଥ ପ୍ରଦାନ କରାଯାଇ ନାହିଁ ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ କହିଥିଲେ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ କଳିଙ୍ଗ ନଗର ଓ ବଡବିଲ୍‌ ମଧ୍ୟରେ ଦୂରତା କମିଯିବ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.