କଟକ ରେଳ ଷ୍ଟେସନର ଦ୍ବିତୀୟ ପ୍ରବେଶ ଦ୍ବାରକୁ ଲୋକାର୍ପଣ କଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

କଟକ : ରାଜ୍ୟରେ ପ୍ରଥମ ଥର ଜାତୀୟ ରାଜପଥକୁ ସଂଯୋଗ ହେଲା ରେଳ ଷ୍ଟେସନ ପ୍ଲାଟଫର୍ମ । କଟକ ରେଳ ଷ୍ଟେସନର ଦ୍ବିତୀୟ ପ୍ରବେଶ ଦ୍ବାରକୁ ଲୋକାର୍ପଣ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏନଏଚ ୧୬ ସହ ଯୋଡି ହେଲା କଟକ ରେଳ ଷ୍ଟେସନର ଫ୍ଲାଟଫର୍ମ । ଷ୍ଟେସନର ପଛପଟ ଅର୍ଥାତ୍ ଶିଖରପୁର ପଟେ ଆଜି ଖୋଲିଛି ଶୀତତାପ ନିୟନ୍ତ୍ରିତ ଗେଟ୍ । ରେଳ ଷ୍ଟେସନରର ପୁନର୍ବିନ୍ୟାସ ପରେ ବିମାନବନ୍ଦରର ଭ୍ରମ ସୃଷ୍ଟି ହେଉଛି । ବିମାନବନ୍ଦର ଭଳି ଲାଗୁଛି ରେଳ ଷ୍ଟେସନ୍ । ଅତ୍ୟାଧୁନିକ ବ୍ୟବସ୍ଥା ସହ ନୂଆ ରୂପ ନେଇଛି ବ୍ରିଟିଶ୍ ଅମଳର କଟକ ରେଳଷ୍ଟେସନ୍ । ଦ୍ବିତୀୟ ପ୍ରବେଶ ଦ୍ବାରରେ ଟିକେଟ୍ କାଉଣ୍ଟର ସହ ଅତ୍ୟାଧୁନିକ ଫୁଡ୍ କୋର୍ଟ ରହିଛି । ପ୍ରଶସ୍ତ ପାର୍କିଂ ସୁବିଧା ସହ ଉପଯୁକ୍ତ ଭାବେ ପ୍ଲାନ୍ କରାଯାଇଥିବା ଅଞ୍ଚଳ ରହିଛି । ଯାତ୍ରୀମାନଙ୍କ ସୁଗମ ଯାତାୟାତ ପାଇଁ ଏସ୍କାଲେଟର, ଶିଡ଼ି, ଲିଫ୍ଟ କରାଯାଇଛି । ଯାତ୍ରୀମାନଙ୍କ ଆରାମ ପାଇଁ ପ୍ରଶସ୍ତ ପ୍ରତୀକ୍ଷା ସ୍ଥଳର ବ୍ୟବସ୍ଥା ମଧ୍ୟ କରାଯାଇଛି।