ବରଦାନ ପାଲଟିଲା ଅଦିନିଆ ବର୍ଷା, ନିଆଁ ଦାଉରୁ ଜଙ୍ଗଲକୁ ମିଳିଛି ସାମାନ୍ୟ ଆଶ୍ବସ୍ତି

ଅଦିନିଆ ବର୍ଷା । କାହାକୁ ଦୁଃଖ ଦିଏ ତ ଆଉ କାହାପାଇଁ ବରଦାନ ପାଲଟିଥାଏ । ଏଇ ଯେମିତି ଚଳିତଥର କିଛିଦିନ ପୂର୍ବରୁ ଅଦିନିଆ ବର୍ଷାକୁ ନେଇ ଚାଷୀଙ୍କ ଚିନ୍ତା ବଢିଥିଲା । ପାଚିଲା ଧାନ କ୍ଷେତ ବର୍ଷା ପାଣିରେ ଭିଜିଗଲା । ବହୁ ଚାଷୀଙ୍କ ଅମଳ ପ୍ରଭାବିତ ହେଲା । ଭାଙ୍ଗି ପଡ଼ିଲେ ଚାଷୀ କୂଳ । ଦୁଃଖ ଦେଲା ଅଦିନିଆ ବର୍ଷା । ଠିକ୍ ସେମିତି ଏବେ ଏହି ଅଦିନିଆ ବର୍ଷା ଦୁଃଖ ବଦଳରେ ସୁଖ ଦେଇଛି । ନିଆଁ ଦାଉରୁ ଜଙ୍ଗଲକୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ବରଦାନ ପାଲଟିଛି ଅଦିନିଆ ବର୍ଷା ।
ଗଂଜାମ ଜିଲ୍ଲା ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ, ଗାଲେରୀ, ତାରାସିଙ୍ଗି, ଜଗନ୍ନାଥପ୍ରସାଦ ଏବଂ କେନ୍ଦ୍ରିୟ ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ଦେଖିବାକୁ ମିଳିଛି ଏଭଳି ପରିସ୍ଥିତି । ଏହାସହ ଦକ୍ଷିଣ ଘୁମୁସର ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଅବଶ୍ୟ ଅଳ୍ପ କିଛି ସ୍ଥାନ ବ୍ୟତୀତ ଅଧିକାଂଶ ଅଞ୍ଚଳରେ ବର୍ଷାର ପ୍ରଭାବ କମ୍ ରହିଛି । ତଥାପି କିଛି ଦିନ ପର୍ଯ୍ୟନ୍ତ ଜଙ୍ଗଲରେ ନିଆଁ ଲାଗିବା ଆଶଙ୍କା ଟଳିଯାଇଛି । ଏ ହେଉଛି ଉତ୍ତର ଘୁମୁସର ବନଖଣ୍ଡର କଣ୍ଟେଇପଲ୍ଲୀ ଜଙ୍ଗଲ ।
ଯେଉଁଠି ଜଙ୍ଗଲ ନିଆଁକୁ ରୋକିବା ପାଇଁ ଗାଁ ଲୋକେ ହାତରେ ଠେଙ୍ଗା ଧରି ପାଳିକରି ଜଙ୍ଗଲ ଜଗି ଆସୁଥିଲେ । ବିଶେଷ କରି ଏହି ଲୋକଙ୍କୁ ଖୁସି ଦେଇଛି ଏହି ଅଦିନିଆ ସାମାନ୍ୟ ବର୍ଷା । କିନ୍ତୁ ଏବେବି ସମସ୍ତେ ଚାହିଁ ରହିଛନ୍ତି ଆହୁରି କିଛି ସମ୍ଭାବ୍ୟ ବର୍ଷାକୁ । ଗତ ୨୦୨୩ ବର୍ଷରେ ଘୁମୁସର ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ୪୨୫ ଫାୟାର ପଏଣ୍ଟ ରହିଥିଲା । ସେହିଭଳି ୨୦୨୪ରେ ବର୍ଷା ଯୋଗୁଁ ଏହା ୧୮୯ ଫାୟାର ପଏଣ୍ଟକୁ ଖସି ଆସିଥିଲା ।
ଚଳିତବର୍ଷ ଫାୟାର ପଏଣ୍ଟ ୧ ରୁ ଆରମ୍ଭ ହୋଇଥିବା ବେଳେ ତାହା ଜଙ୍ଗଲ ବାହାରେ ରହିଛି ବୋଲି କହିଛନ୍ତି ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ । ଗତ କିଛିବର୍ଷ ହେବ ଗ୍ରୀଷ୍ମ ପ୍ରବାହର ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଜାନୁଆରୀ ମାସ ଠାରୁ ବର୍ଷାର ପରିମାଣ କମ୍ ରହୁଛି । ସେହି ଦୃଷ୍ଟିରୁ ଶୁଖିଲା ପଡୁଥିବା ଜଙ୍ଗଲରେ, ନିଆଁ ଲାଗିବା ଆଶଙ୍କା ଦିନକୁ ଦିନ ବୃଦ୍ଧି ପାଉଛି । ଏଣୁ ଏବେ ହୋଇଥିବା ଅଦିନିଆ ବର୍ଷା ଜଙ୍ଗଲ ନିଆଁକୁ ରୋକିବାରେ ସାମାନ୍ୟ ଆଶ୍ବସ୍ତି ଦେଇଛି । ଗତ ଦିନରେ ଏହି ଅଦିନିଆ ବର୍ଷା ଚାଷୀମାନଙ୍କ ପାଇଁ ଦୁଃଖର କାରଣ ହୋଇଥିବା ବେଳେ ଏବେ ଏହି ବର୍ଷା ବରଦାନ ପାଲଟିଛି ।
Also read: ଆଜି ରାଜ୍ୟର ୮ ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ମାର୍ଚ୍ଚ ୧ରୁ ତାତି ବଢିପାରେ