ପାଗରେ ପରିବର୍ତ୍ତନ, ରାଜଧାନୀର କିଛି ସ୍ଥାନରେ ଝିପିଝିପି ବର୍ଷା

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଲାଗି ରହିଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ଆଜି ଉତ୍ତାପ ଅଧିକ ରହିଥିଲା । ତେବେ ସନ୍ଧ୍ୟାରେ ଭୁବନେଶ୍ୱରରେ ପାଗରେ ପରିବର୍ତ୍ତନ ଦେଖା ଦେଇଛି । ସନ୍ଧ୍ୟାରେ ଭୁବନେଶ୍ୱରର କିଛି ସ୍ଥାନରେ ଝିପି ଝିପି ବର୍ଷା ହୋଇଥିବା ଜଣାଯାଇଛି । ପାଣିପାଗ ବିଭାଗ ଆକଳନ ଅନୁଯାଇ ଆସନ୍ତା ୧୯ ତାରିଖରେ ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ଆଜି ବୋଧେ ପାଗର ପରିବର୍ତ୍ତନ ସ୍ୱରୂପ ଭୁବନେଶ୍ୱରରେ ଝିପି ଝିପି ବର୍ଷା ହୋଇଛି । ଏହି ବର୍ଷା ଗରମକୁ ସାମାନ୍ୟ ପ୍ରଭାବିତ କରିପାରେ ।
ଅପରାହ୍ଣରେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା। ମୟୂରଭଞ୍ଜ, ନୂଆପଡ଼ା, ବଲାଙ୍ଗିର, ରାୟଗଡ଼ା, ଗଞ୍ଜାମ, ନୟାଗଡ଼ ଏବଂ କନ୍ଧମାଳ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିବା ସୂଚନା ମିଳିଛି। ରାଜଧାନୀରେ ମଧ୍ୟ ଝିପିଝିପି ବର୍ଷା ହେଉଛି। ନୂଆପଡା ଜିଲ୍ଲାରେ କୁଆପଥର ସହ ବର୍ଷା ହୋଇଛି। କୋମନା ବ୍ଲକ ତରବୋଡ ଅଞ୍ଚଳରେ ଘୂର୍ଣ୍ଣିଝଡ଼ ବର୍ଷା ସହ କୁଆପଥର ମାଡ଼ ହୋଇଛି l ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ କୋମନା ବ୍ଲକ ଅନ୍ତର୍ଗତ ତରବୋଡ଼, ଜଡ଼ାମୁଣ୍ଡା ଓ ମାନିଗୁଡ଼ା ଆଦି ଗାଁରେ ପ୍ରାୟ ଏକ ଘଣ୍ଟା ଧରି ଜୋରରେ ପବନ ବହିବା ସହ ବର୍ଷା ଓ କୁଆପଥର ପଡ଼ିଥିଲା। ଘୂର୍ଣ୍ଣିଝଡ ଓ କୁଆପଥର ମାଡରେ ଅନେକ ଗଛ ଭାଙ୍ଗିଯାଇଛି। ୨୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।