ଭୁବନେଶ୍ୱର : ଆସୁଛି ଲଘୁଚାପ । ଆହୁରି ୩ ଦିନ ବର୍ଷିବ । ପଶ୍ଚିମବଙ୍ଗ ଗାଙ୍ଗେୟ ଉପତ୍ୟକାରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଦକ୍ଷିଣ ବାଂଲାଦେଶ ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଗାଙ୍ଗେୟ ଉପତ୍ୟକାରେ ବର୍ତ୍ତମାନ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଦକ୍ଷିଣ ପଶ୍ଚିମ ଦିଗକୁ ଢଳି ରହିଛି । ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ୩ଦିନ ଯାଏ ବର୍ଷା ଲାଗି ରହିବ । ତେବେ ଆଜି ପାଇଁ ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ସେହିପରି ୧୭ ତାରିଖରେ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ସେପଟେ ଚଳିତ ମୌସୁମୀ ଋତୁରେ ଏଯାଏ ୬୫୪.୪ ମିମି ବର୍ଷା ରେକର୍ଡ ହୋଇଛି । ସ୍ବାଭାବିକ ବୃଷ୍ଟିପାତ ପରିମାଣ ୭୩୭.୧ ମିମି ତୁଳନାରେ ଏହା ୧୧ ପ୍ରତିଶତ ନିଅଣ୍ଟିଆ । ୩ଟି ଜିଲ୍ଲାରେ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୧୬ ଜିଲ୍ଲାରେ ସ୍ବାଭାବିକ ଓ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।