ଅକ୍ଟୋବର ୨ରୁ ବଢିବ ବର୍ଷା: ଫିକା ପଡ଼ିପାରେ ପାର୍ବଣ

ଭୁବନେଶ୍ବର(କେନ୍ୟୁଜ୍):ପାର୍ବଣକୁ ଫିକା ପକାଇବ ବର୍ଷା। ଅକ୍ଟୋବର ୧ତାରିଖରୁ ଘୂର୍ଣ୍ଣିବଳୟ ପ୍ରଭାବରେ ହେବ ବର୍ଷା। ୨ତାରିଖରୁ ବଢିବ ବର୍ଷାର ପରିମାଣ। ବଙ୍ଗୋପସାଗରରେ ପଛକୁ ପଛ ଘୂର୍ଣ୍ଣିବଳୟ। ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ର ପ୍ରଦେଶ ଉପକୂଳରେ ସକ୍ରିୟ ରହିଛି। ଅକ୍ଟୋବର ୧ରୁ ଉତ୍ତରପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟରେ ବଢିବ ବର୍ଷାର ପରିମାଣ। ଆଗାମୀ ୩ ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୧ତାରିଖରେ ଉତ୍ତର ଉପକୂଳ ଓଡ଼ିଶାରେ ଓ ଅନ୍ୟ ଅଞ୍ଚଳରେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ ହୋଇଛି।

ପ୍ରବଳ ବର୍ଷା ପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରେ ୨ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁୁବନେଶ୍ୱର ପାଣିପାଗ କେନ୍ଦ୍ର। ଚଳିତ ମୌସୁମୀ ଋତୁରେ ଜୁନ ୧ରୁ ସେପ୍ଟେମ୍ବର ୨୮ ତାରିଖ ମଧ୍ୟରେ ରାଜ୍ୟରେ ୧୧୮୦.୧ ମିମି ବର୍ଷା ରେକର୍ଡ ହୋଇଛି। ଏହି ସମୟ ମଧ୍ୟରେ ସ୍ୱାଭାବିକ ବୃଷ୍ଟିପାତ ୧୧୩୮.୯ ମିମି ଠାରୁ ୪ ପ୍ରତିଶତ ଅଧିକ ବର୍ଷା ହୋଇଛି। ୪ଟି ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ବେଳେ ଗୋଟିଏ ଜିଲ୍ଲା ଭଦ୍ରକରେ ନିଅଣ୍ଟିଆ ଓ ଅନ୍ୟ ୨୫ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି।.

Leave A Reply

Your email address will not be published.