ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ, ରାଜ୍ୟରେ ଆଜି ଓ ଆସନ୍ତାକାଲି ବର୍ଷା ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ । ଆଜି ଏହା ଉତ୍ତର- ପଶ୍ଚିମ ଦିଗରେ ଗତି କରିବା ସହ ଅବପାତର ରୂପ ନେଇ ଆସନ୍ତାକାଲି ସୁଦ୍ଧା ତାମିଲନାଡୁ ଓ ପଣ୍ଡିଚେରୀ ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିମି ଯାଏ ରହିବ । ଝଟକା ପବନର ବେଗ ଘଣ୍ଟାପ୍ରତି ୬୬ କିମି ଯାଏ ରହିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ବାତ୍ୟାର ପ୍ରଭାବ ସିଧାସଳଖ ଭାବେ ଓଡ଼ିଶାରେ ନଥିବା ବେଳେ ବାୟୁର ଦିଗ ପରିବର୍ତ୍ତନକୁ ନେଇ ସମୁଦ୍ର ମଧ୍ୟରୁ ସ୍ଥଳଭାଗକୁ ଆର୍ଦ୍ର ବାୟୁ ପ୍ରବେଶ କରୁଛି । ଫଳରେ ଆର୍ଦ୍ରତାର ମାତ୍ରା ଅଧିକା ରହୁଛି । ମାତ୍ରାଧିକ ଆର୍ଦ୍ରତା ଯୋଗୁଁ ଓଡ଼ିଶାରେ ପାଗ ମେଘୁଆ ସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ଆଜି ଓ ଆସନ୍ତାକାଲି ଉପକୂଳ ଓ ଦକ୍ଷିଣ ଓଡିଶାର ଅଧିକାଂଶ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ୩୦ ତାରିଖ ପରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆଗାମୀ ୨୪ ଘଣ୍ଟା ପରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି। ବର୍ଷା ପ୍ରଭାବରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସହ ରାତ୍ରି ତାପମାତ୍ରା ବଢିବ। ୨ ଦିନ ଯାଏ ରାଜ୍ୟରେ ଘନକୁହୁଡିର ସମ୍ଭାବନା ରହିଛି।

You might also like