ସକ୍ରିୟ ରହିଛି ମୌସୁମୀ ବାୟୁ: ୫ ଦିନ ଯାଏଁ ରାଜ୍ୟରେ ବର୍ଷା, ୨୬ରେ ଘୂର୍ଣ୍ଣିବଳୟ ସମ୍ଭାବନା

ଭୁବନେଶ୍ୱର : ମୌସୁମୀ ସକ୍ରିୟ ହେବା ପରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଗାମୀ ୫ ଦିନ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ। ୪୮ ଘଣ୍ଟା ଯାଏ ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ଯମ ଧରଣର ବର୍ଷାର ସମ୍ଭାବନା ରହିଛି । ୨୬ ତାରିଖ ବେଳକୁ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ଥିବାରୁ ବଢ଼ିବ ବର୍ଷାର ପରିମାଣ । ଏହାର ପ୍ରଭାବରେ ବର୍ଷାର ପରିମାଣ ବଢିପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ୨୬ତାରିଖରେ ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
୨୭ ଓ ୨୮ ତାରିଖରେ ଗୋଟିଏ ଦୁଇଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୭ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଗଞ୍ଜାମ, ରାୟଗଡ଼ା, କୋରାପୁଟ ଓ ପ୍ରବଳ ବର୍ଷା ନେଇ କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଓ ବରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୮ ତାରିଖରେ କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଓ ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରିରେ ପ୍ରବଳ ବର୍ଷାର ଚେତାବନୀ ଜାରି ହୋଇଛି।
ରାଜ୍ୟକୁ ମୌସୁମୀ ଛୁଇଁବା ସତ୍ତ୍ବେ ନିଅଣ୍ଟିଆ ବର୍ଷା ପରିମାଣ ବଢୁଛି। ଚଳିତ ମୌସୁମୀ ଋତୁରେ ଏଯାଏ ୯୧.୮ ମିମି ବର୍ଷା ରେକର୍ଡ ହୋଇଛି। ଯାହା ସ୍ବାଭାବିକ ଠାରୁ ୪୧ ପ୍ରତିଶତ କମ୍ । ଏହି ସମୟରେ ସ୍ବାଭାବିକ ବର୍ଷା ପରିମାଣ ୧୫୪. ୬ମିମି ରହିଥାଏ। ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ପରିମାଣ ବୃଦ୍ଧି ପାଇଲେ ନିଅଣ୍ଟିଆ ବର୍ଷା ଭରଣା ହେବ ବୋଲି କୁହାଯାଇଛି।