୧୧ରୁ ପୁଣି ବଢ଼ିବ ବର୍ଷା, ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ୧୧ରୁ ପୁଣି ବଢ଼ିବ ବର୍ଷା । ଆଗାମୀ ୫ଦିନ ଯାଏ ରାଜ୍ୟର ଅଧିକାଂଶ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ୨୪ ଘଣ୍ଟାରେ ପ୍ରବଳ ବର୍ଷା ନେଇ ୫ ଜିଲ୍ଲା କୋରାପୁଟ, ରାୟଗଡ଼ା, ମାଲକାନଗିରି, କନ୍ଧମାଳ ଓ ଗଜପତିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୧୧ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକା ବର୍ଷା ପାଇଁ ମଧ୍ୟ ୟେଲୋ ଆଲର୍ଟ ଜାରି ହୋଇଛି । ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହା ସହ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ପ୍ରଭାବରେ ୧୧ ତାରିଖରୁ ରାଜ୍ୟରେ ପୁଣି ସାମାନ୍ୟ ବଢିବ ବର୍ଷାର ପରିମାଣ ।

ଚଳିତ ମୌସୁମୀ ଋତୁରେ ଏଯାଏ ରାଜ୍ଯରେ ୨୧୧. ୬ ମିମି ବର୍ଷା ରେକର୍ଡ ହୋଇଛି । ଏହି ସମୟରେ ସ୍ବାଭାବିକ ବୃଷ୍ଟିପାତ ପରିମାଣ ୨୮୫. ୮ ମିମି ଥିବା ବେଳେ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ୧୩ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ବାଲେଶ୍ବରରେ ଅତ୍ୟଧିକ ନିଅଣ୍ଟିଆ ଓ ୧୬ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।

You might also like