ଘଟଗାଁ(କେନ୍ୟୁଜ୍): ଭାରତୀୟ ସଂସ୍କୃତିରେ ପୁରପଲ୍ଲୀର ପର୍ବପର୍ବାଣୀ ଗୁଡିକ ଗୁରୁତ୍ୱ ବହନ କରିଥାଏ । ବିଶେଷ କରି ଆମ ପରମ୍ପରାରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ । ସେଥି ମଧ୍ୟରୁ ଓଡିଆ ମାନଙ୍କର ରଜ ପର୍ବ ଏକ ଶ୍ରେଷ୍ଠ ପର୍ବ ଭାବେ ପରିଚିତ । ଏହି ରଜ ପର୍ବ ଗାଁଠୁ ନେଇ ସହର ସବୁଠି ବେଶ ଧୂମ ଧାମରେ ପାଳିତ ହେଉଛି । ଏହି ରଜରେ ବହୁ ଉତ୍ସାହର ସହିତ ବହୁ ସଂଖ୍ୟାରେ ଦୋଳି ତିଆରି କରାଯିବା ସହ ଏକତ୍ରିତ ଭାବରେ ରଜ ପାଳନରେ ଓଡିଶାର ସଂସ୍କୃତୀ ଓ ପରମ୍ପରାର ଚିତ୍ର ପ୍ରତିଫଳିତ ହେଇଥିବା ଦେଖାଯାଇଛି ।
ଘଟଗାଁ ଅଂଚଳରେ ୫ ଦିନ ଧରି ପାଳନ ହୋଇଥାଏ ରଜପର୍ବ :
ଏହି ପର୍ବର ବିଶେଷ ଆକର୍ଷଣ କେନ୍ଦୁଝର ଜିଲ୍ଲା ଘଟଗାଁ ଅଂଚଳରେ ଦେଖାଯାଇଛି । ଚାରିଆଡେ ୩ଦିନ ଧରି ରଜ ପାଳନ କରାଯାଉଥିବା ବେଳେ ଘଟଗାଁ ଅଂଚଳରେ ୫ ଦିନ ଧରି ରଜପର୍ବ ପାଳିତ ହୋଇଥାଏ । ବେଶ ଆଡମ୍ବରରେ ପାଳିତ ହେଉଥିବା ରଜ ଉôସବ ପାଇଁ ବିଭୀନ୍ନ ଗ୍ରାମରେ ଆନନ୍ଦ ଉଲ୍ଲାସର ବାତାବରଣ ଦେଖାଯାଇଛି । ପାରମ୍ପାରିକ ରୀତିରେ ବାସୁଧା ମାତାର ପୂଜା କରିବା ପରେ ରଜ ପଡିଆରେ ଦୋଳି ପୂଜା ହୋଇଥାଏ । ତେବେ ଏହି ରଜ ପର୍ବ ବିଷେଶ କରି ଝିଅ ମାନଙ୍କର ପର୍ବ ହୋଇଥିବାରୁ ଏହି ଗ୍ରାମର ଝିଅ ବହୁ ମାନେ ସକଳୁ ସକାଳୁ ସ୍ନାନ କରି ପିଠା ପଣା କରିଥାନ୍ତି । ପରେ ନୁଆ ପୋଷାକ ପରିଧାନ କରି ଅଳତା ଓ ମେହନ୍ଦି ଲଗାଇ ସଜବାଜ ହୋଇ ପିଠା ଖାଇ ଦୋଳି ପଡିଆରେ ଆନନ୍ଦ ଉଲ୍ଲାସରେ ଦୋଳିର ମଜା ନେଇଛନ୍ତି ।
ରଜକୁ ଏକ କୃଷି ଭିତିକ ପର୍ବ ଭାବେ ପାଳନ କରାଯାଇଥାଏ :
ଅନ୍ୟ ପଟେ ଏହି ରଜ ପର୍ବକୁ ଏକ କୃଷି ଭିତିକ ପର୍ବ ଭାବେ ପାଳନ କରାଯିବା ସହ ଏହି ପର୍ବରେ ବସୁଧା ମାତାଙ୍କୁ ବିଶ୍ରାମ ମିଳିଥାଏ । ଏହି ସମୟରେ ଚାଷ କାମ ବନ୍ଦ ଥିବା କାରଣରୁ ପୁରୁଷ ଲୋକ ମାନେ ମଧ୍ୟ ଏହି ପର୍ବକୁ ବେଶ ଉପଭୋଗ କରିଥାନ୍ତି । ଗ୍ରାମରେ ତାସ ଖେଳ ସହ ବିଭିନ୍ନ ଖେଳକୁଦରେ ମଜ୍ଜି ଯାଇଥାନ୍ତି । ପୁର ପଲ୍ଲିରେ ରଜ ପର୍ବ ପ୍ରାୟ ବିଲୁପ୍ତ ହେବାକୁ ଯାଉଥିବା ବେଳେ ଘଟଗାଁ ଅଂଚଳରେ ଏହି ପର୍ବ ମାଧ୍ୟମରେ ଓଡିଶାର ପରମ୍ପରା ଓ ସଂସ୍କୃତି ପ୍ରତିଫଳିତ ହେଉଥିବା ଦେଖା ଯାଇଛି । ଗ୍ରାମ ଗୁଡିକରେ ଏକତ୍ରିତ ହୋଇ ଗୋଟିଏ ସ୍ଥାନରେ ଦୋଳି ଖେଳିବା ପାଇଁ ଗ୍ରାମ ବାସୀଙ୍କ ସହ ବନ୍ଧୁ ବାନ୍ଧବ ଓ ଅଂଚଳର ବହୁ ସଂଖ୍ୟାରେ ଲୋକ ଏକତ୍ରୀତ ହୋଇଥାନ୍ତି । ଯାହାକି ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ସହ ଏକ ଭାତ୍ରୁଭାବ ସୃଷ୍ଟି କରିବାରେ ସହାୟକ ହୋଇ ପାରଛି ।
ବ୍ରହ୍ମପୁରରେ ଦେଖିବାକୁ ମିଳିଛି ନିଆରା ରଜ ପର୍ବ ପାଳନ :
ଗାଁ ଠାରୁ ସହର ସବୁଠି ରଜପର୍ବ ପାଳନରେ ସମସ୍ତେ ମସଗୁଲ । ବ୍ରହ୍ମପୁରରେ ମଧ୍ୟ ଅନୁରୂପ ଭାବେ ଦେଖିବାକୁ ମିଳିଛି ନିଆରା ରଜ ପର୍ବ ପାଳନ । ବ୍ରହ୍ମପୁରର ଓଡିଶା ସର୍ଭିସ ସେଣ୍ଟର ଫର ବ୍ଳାଇଣ୍ଡ ଅନୁଷ୍ଠାନର ଦୃଷ୍ଟିହୀନ ଛାତ୍ରୀ ଓ ଛତ୍ରପୁରର ସମର୍ଥ ଅନୁଷ୍ଠାନର ଛାତ୍ରୀ ମାନଙ୍କ ପାଇଁ ଆୟୋଜନ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମର । ସହରର ବିଜୁ ପଟ୍ଟନାୟକ ପାର୍କ ପରିସରରେ ଆୟୋଜିତ ହୋଇଛି ଏହି ରଜ ପର୍ବ ।ପିଠା ପଣା ସାଙ୍ଗକୁ ଦୋଳି ଖେଳର ମଜା ବେଶ ଉଠାଇଥିଲେ ଦୃଷ୍ଟି ହୀନ ଛାତ୍ରୀମାନେ ।
କଳାହାଣ୍ଡି ଏମ୍.ରାମପୁର ବ୍ଲକ୍ ମସ୍କାଦାଣ୍ଡି ଗାଁରେ ରଜ ସଂକ୍ରାନ୍ତି :
ରଜ ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ସାରା ରାଜ୍ୟ । କଳାହାଣ୍ଡି ଏମ୍.ରାମପୁର ବ୍ଲକ୍ ମସ୍କାଦାଣ୍ଡି ଗାଁରେ ବେସ୍ ଧୁମଧାମରେ ପାଳିତ ହେଉଛି ରଜ ଉତ୍ସବ । ସକାଳୁ ନୂଆ ବସ୍ତ୍ର ପିନ୍ଧି, ମୁଣ୍ଡରେ ଚନ୍ଦନ ଟିପା ଲଗାଇ ପାନ ଖାଇ ଦୋଳି ଖେଳି ମଜା ନେଉଛନ୍ତି । ଏଥିସହ ବିଭିନ୍ନ ପ୍ରକାରର ପିଠା ମହକରେ ଫାଟି ପଡୁଛି ଗାଁ ଦାଣ୍ଡ ।
ଭଦ୍ରକ ଜିଲ୍ଲାର ଭୂମିପୁତ୍ର ଯୁବକ ସଂଘ ପକ୍ଷରୁ ରଜଉତ୍ସବ :
ରଜ ଉତ୍ସବ ପାଇଁ ଉତ୍ସବମୁଖର ଗାଁ ଠୁ ସହର । ସବୁଠି ଖୁସି ଓ ଆନନ୍ଦରେ ପାଳିତ ହୋଇଛି ଏହି ରଜ ଉତ୍ସବ । ଭଦ୍ରକ ଜିଲ୍ଲାର ଭୂମିପୁତ୍ର ଯୁବକ ସଂଘ ପକ୍ଷରୁ ଭଦ୍ରକ ବ୍ଳକ ଅଧିନସ୍ଥ ବହୁଦରଡ଼ା ଠାରେ ୩ଦିନ ଧରି ରଜଉତ୍ସବ କରାଯାଉଛି । ଏଠାରେ ବିଭିନ୍ନ ପ୍ରକାର ଦୋଳି ସାଙ୍ଗକୁ ପିଠା, ମିଠା, ପାନର ଆସର ଜମିଛି ।
ମହାକାଳପଡା ବ୍ଳକ ତେରଗାଁ ପଟଣା ଗ୍ରାମରେ ୪ର୍ଥ ବାର୍ଷିକ ରଜ ମହୋତ୍ସବ :
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଳକ ତେରଗାଁ ପଟଣା ଗ୍ରାମରେ ୪ର୍ଥ ବାର୍ଷିକ ରଜ ମହୋତ୍ସବ ଉଦଘାଟନ ହୋଇଯାଇଛି । ଗ୍ରାମବାସୀଙ୍କ ଉଦ୍ୟମରେ ୩ଦିନ ଧରି ଏହି କାର୍ଯ୍ୟକ୍ରମରେ ଆଖପାଖ ଗ୍ରାମର ଝିଅ ଓ ପୁଅଙ୍କୁ ନେଇ ରଜ ପରମ୍ପରାର ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ହେଉଛି । ଏଥିରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ରାୟଗଡାରେ ରଜପର୍ବ :
ରାୟଗଡା ସହରର ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଂସ୍କୃତି ରଜପର୍ବକୁ ତିନି ଦିନ ଧରି ବଡ ଧୁମଧାମରେ ପାଳନ କରୁଛି । ଗତ ୨୭ବର୍ଷ ଧରି ନିୟମିତ ରଜ ଉତ୍ସବର ଏହି ତିନି ଦିନ ସମସ୍ତ ପ୍ରକାର ଭେଦଭାବ ଭୁଲି ମନାଇ ଆସୁଛନ୍ତି
ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମ ପରିସରରେ ରଜଦୋଳିର ମଜା :
ଓଡିଆଙ୍କ ପ୍ରିୟ ପର୍ବ ହେଉଛି ରଜପର୍ବ । ରଜପର୍ବକୁ ସମସ୍ତେ ବଡ଼ ଧୂମଧାମରେ ପାଳନ କରୁଛନ୍ତି । ଘରେ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଲାଗୁଥିବା ବେଳେ ପିଠାପଣାରେ ମହକୁଛି ପୁରା ପରିବେଶ । ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମ ପରିସରରେ ଅସ୍ଥାୟୀ ଭାବେ ନିର୍ମିତ ରଜଦୋଳିର ମଜା ନେଉଛନ୍ତି ।
କାନନ ବିହାର ଡେଭଲୋପମେଣ୍ଟ ସୋସାଇଟି ତରଫରୁ ରଜ ଉତ୍ସବ :
ଭୁବନେଶ୍ବର କାନନ ବିହାର ଡେଭଲୋପମେଣ୍ଟ ସୋସାଇଟି ତରଫରୁ ପାଳିତ ହୋଇଛି ରଜ ଉତ୍ସବ । ଏହି ଅବସରରେ କାନନ ବିହାରର ବାସିନ୍ଦା ଏକାଠି ହୋଇ ରଜ ଉତ୍ସବ ପାଳନ କରିଥିଲେ । ତାସାଙ୍ଗକୁ ଛୋଟ ଛୋଟ ପିଲାମାନେ ମଧ୍ୟ ମଜ୍ୟୁକ ଚେୟାର ଗେମ୍,ସଙ୍ଗୀତ ପରିବେଶଣ ସହ ଫ୍ୟାନସି ଡ୍ରେସର କାଯ୍ୟକ୍ରମରେ ମଧ୍ୟ ନିଜକୁ ସାମିଲ କରିଥିଲେ । ରଜ ପର୍ବ ଅବସରରେ ସମସ୍ତ ଏକାଠି ହୋଇ ବିଭିନ୍ନ ପିଠା ବଣ୍ଟନ କରାଯାଇଥିଲା । ଦିର୍ଘ ୧୯ ବର୍ଷ ହେବ ଅନୁଷ୍ଠାନ ତରଫରୁ ଏହି କାଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି ।