ପୁରୀ ଶ୍ରୀମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବ୍ୟାପକ ସୁରକ୍ଷା ବ୍ଯବସ୍ଥା, ଆଜି ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ପୁରୀ ଶ୍ରୀମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ । କାର୍ତ୍ତିକ ମାସ ଓ ପଞ୍ଚୁକର ଶେଷ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଜରାଜେଶ୍ୱର ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଛି। ଅବକାଶ ନୀତି ପରେ ସିଂହାରୀ ସେବାୟତମାନେ ମହାପ୍ରଭୁଙ୍କୁ ଏହି ବେଶରେ ସଜ୍ଜିତ କରିଛନ୍ତି।
ତେବେ କୋଭିଡ କଟକଣା ପାଇଁ ଶ୍ରଦ୍ଧାଳୁମାନେ ଏହି ବେଶ ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି। ଭକ୍ତ ଓ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ସମ୍ମୁଖରେ ପତିତପାବନଙ୍କ ଦର୍ଶନ କରି ପୁଣ୍ୟ ଅର୍ଜନ କରୁଛନ୍ତି । ଏଥିପାଇଁ ଜିଲ୍ଲା ପୋଲିସ ପକ୍ଷରୁ କଟକଣା ଲାଗୁ ହୋଇଛି । ମାର୍କେଟ ଛକଠାରୁ ଚାରିଚକିଆ ଗାଡ଼ି ଓ ମରିଚକୁଟ ଛକ ଠାରୁ ଦୁଇଚକିଆ ଗାଡି ଉପରେ କଟକଣା ଲଗା ଯାଇଛି । ଶ୍ରୀମନ୍ଦିର ଚୌହଦୀକୁ ଗାଡ଼ି ପାର୍କି ମୁକ୍ତ କରାଯାଇଛି ।
ପ୍ରତ୍ୟେକ ଛୋଟ ଓ ବଡ଼ ଛକରେ ବ୍ୟାରିକେଡ କରାଯାଇ ଗାଡ଼ି ଯାତାୟତକୁ ବନ୍ଦ କରାଯିବ । ସମୁଦ୍ର କୂଳ ଓ ଅନ୍ୟ ସ୍ଥାନରେ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମୁଦ୍ରରେ ସ୍ନାନ ଓ ଅନ୍ୟ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଲୋକଙ୍କୁ ବାରଣ କରାଯାଇଛି । କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସୁରକ୍ଷା ବ୍ୟବସ୍ଥାରେ ୧୫ ପ୍ଲାଟୁନ ପୋଲିସ ସହ ୫୦ ଜଣ ଅଫିସର, ୭ ଜଣ ଡିଏସପି ଓ ଜଣେ ଆଡିସନାଲ ଏସପି ମୁତୟନ ହୋଇଛନ୍ତି।