ସ୍ୱେଦଶୀ ଜ୍ଞାନ କୌଶଳରେ ବାଉଁଶ ତିଆରି ପାଣି ପମ୍ପ, ପ୍ରଶଂସା ସାଉଁଟୁଛନ୍ତି ଆଦିବାସୀ ଯୁବକ ରାଜେଶ ସୋରେନ

ମୟୁରଭଞ୍ଜ: ଚାରୋଟି ବାଉଁଶ , ଏକ ସାଇକେଲ ରିଂ , ଦୁଇ ଖଣ୍ଡ ପ୍ଲାଷ୍ଟିକ ପାଇପ୍‌, ପୁରୁଣା ଚପଲ ଓ ଏକ ଦଉଡି ଖଣ୍ଡ। ଯାହା ସାହାର୍ଯ୍ୟରେ ନିଜସ୍ୱ ଜ୍ଞାନ କୌଶଳରେ ତିଆରି କରିଛନ୍ତି ଜଳସେଚନ ଯନ୍ତ୍ର । ସେ କୌଣସି ବୈଜ୍ଞାନିକ ନୁହଁନ୍ତି, ନା ପଢିଛନ୍ତି ଅଧିକ ପାଠ ହେଲେ ତାଙ୍କ ଉଦ୍ଭାବିତ ପ୍ରକଳ୍ପ ଆଜି ଦୂର କରିବାକୁ ସକ୍ଷମ ହୋଇଛି ଚାଷୀଙ୍କ ପାଇଁ ଜଳ ସେଚନ ସମସ୍ୟା । ଏ ହେଉଛି ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦର ବ୍ଳକ ଅଧିନ ବେତନା ପଞ୍ଚାୟତର ସାନଡାକୋଇ ଗ୍ରାମର ରାଜେଶ ସୋରେନଙ୍କ କଥା । ବାଉଁଶ ତିଆରି ପାଣି ପମ୍ପ ତିଆରି କରି ସମସ୍ତଙ୍କ ପାଇଁ ଆଜି ସେ ପାଲଟିଛନ୍ତି ଉଦାହରଣ ।

waterଏଠାରେ ସାଇକେଲ ଚକକୁ ବୁଲାଇଲେ ତଳୁ ଉପରକୁ କେମିତି ଉଠୁଛି ପାଣି ଆଉ ସେ ପାଣି ମାଡିଯାଉଛି କ୍ଷେତକୁ । ଏଥି ପାଇଁ ନା ଦରକାର କୌଣସି ଯନ୍ତ୍ର ନା ଦରକାର ବିଜୁଳୀ । ମାତ୍ର ୬୦୦ ଟଙ୍କା ଖର୍ଚ୍ଚରେ ସ୍ୱେଦଶୀ ଜ୍ଞାନ କୌଶଳରେ ନିଜ ଜମିକୁ ପାଣି ମଡାଇବାକୁ ସକ୍ଷମ ହେବା ସହ ଅନ୍ୟ ମାନଙ୍କ ପାଇଁ ଆଦର୍ଶ ପାଲୋଟିଛନ୍ତି ରାଜେଶ ସୋରେନ । ଛୋଟ ବେଳୁ କିଛି କରିବାର ଦେଖାଇବାର ଇଚ୍ଛା ଆଜି ରାଜେଶକୁ ଆଣିଦେଇଛି ସଫଳତା ।

୧୦ମ ପରେ ପାଠରେ ଡୋରୀ ବନ୍ଧା ହେଲା । ପରେ ଘର ସଂସାର ଚଳାଇବାକୁ ଓଡ଼ିଶା ଜିବୀକା ମିଶନର ନ୍ୟୁଟ୍ରି ଗାର୍ଡେନ ମାଧ୍ୟମରେ ଚାଷ କରିବାକୁ ମନ ବଳାଇଥିଲେ ରାଜେଶ । ଏଥି ପାଇଁ ଓଡ଼ିଶା ଜିବୀକା ମିଶନର ସିଆର୍‌ପି ତାଙ୍କୁ ସବୁ ସହଯୋଗ କରିଥିଲେ । ହେଲେ ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ରାଜେଶ । ତେବେ ସେଇଠାରୁ ହିଁ ଜଳସେଚନ ପାଇଁ କିଛି କରିଦେଖାଇବାକୁ ମନ ବଳାଇଥିଲେ । ଆଉ ଏହି ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଏବେ ହସୁଛି ରାଜେଶଙ୍କ କ୍ଷେତ । ରଙ୍ଗ ବିରଙ୍ଗର ଫୁଲ ସହ ପରିବା ଚାଷ କରି ବେସ୍ ଲାଭବାନ ହେଉଛନ୍ତି ରାଜେଶ ।ଏହି ବାଉଁଶ ପାଣି ପମ୍ପ ଆଜି ନୂଆ ପରିଚୟ ଦେଇଛି ଆଦିବାସୀ ଯୁବକ ରାଜେଶ ସୋରେନଙ୍କୁ । ଆଖପାଖ ଅଞ୍ଚଳର ବହୁ ଚାଷୀ ଏବେ ରାଜେଶଙ୍କ ଜ୍ଞାନ କୌଶଳକୁ ଆପଣାଇବାକୁ ପ୍ରସ୍ତୁତ । ରାଜେଶଙ୍କ ଏଭଳି ସଫଳତା ପାଇଁ ଗ୍ରମାବସୀ ମଧ୍ୟ ବେସ୍ ଆନନ୍ଦିତ ।