ଖାଦ୍ୟ ଶସ୍ୟରେ ତିଆରି ହୋଇଛି ରାଖି, ବିକ୍ରି କରି ରୋଜଗାରକ୍ଷମ ହୋଇପାରୁଛନ୍ତି ମହିଳା

ଜଳେଶ୍ୱର: ରାତି ପାହିଲେ ଗହ୍ମା ପୂର୍ଣିମା ବା ରାଖି ପୂର୍ଣ୍ଣିମା । ଏନେଇ ବଜାରରେ ବିକ୍ରି ହେଉଛି ଭଳିକି ଭଳି ରାଖି । ଭାଇ ହାତରେ ଭଉଣୀ ବାନ୍ଧିବ ସ୍ନେହର ଡୋରି । ସେଥିପାଇଁ ବଜାରରେ ବସିଛି ବିଭିନ୍ନ ରାଖି ଷ୍ଟଲ ଆଉ ବିକ୍ରି ହେଉଛି ବିଭିନ୍ନ ଡିଜାଇନର ରାଖି । କିନ୍ତୁ ସବୁ ରାଖି ଭିତରେ ଶସ୍ୟ ତିଆରି ରାଖି ସମସ୍ତଙ୍କ ମନ କିଣୁଛି । ପ୍ଲାଷ୍ଟିକ ନୁହେଁ କି ବାହାର ରାଜ୍ୟରୁ ବି ଆମଦାନୀ ହୋଇନି ଏ ରାଖି ବରଂ ଖାଣ୍ଟି ଦେଶୀ ଏବଂ ପରିବେଶ ଉପଯୋଗୀ ଭାବେ ପ୍ରସ୍ତୁତ ହୋଇଛି । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଗୁହାଳିପଦା ଗାଁର ମହିଳା ଏବଂ ଯୁବତୀମାନେ ଅବସର ସମୟରେ ଭଲ ଦି ପଇସା ରୋଜଗାର କରିବା ଲକ୍ଷ୍ୟ ନେଇ ଏଭଳି ଇକୋଫ୍ରେଣ୍ତଲି ରାଖି ପ୍ରସ୍ତୁତ କରୁଛନ୍ତି । ଯେଉଁ ରାଖିର ବଜାରରେ ରହିଛି ଖୁବ୍ ଚାହିଦା ।

ରଙ୍ଗୀନ ଓ ଚକଚକ୍‌ ଦେଖାଯାଉଥିବା ଏ ରାଖି ଖୁବ ମନଲୋଭା ହୋଇଛି । ଖୋଲାରେ ଯେତିକି ସୁନ୍ଦର ପ୍ୟାକେଟରେ ତା ଠାରୁ ବି ଅଧିକ ଆକର୍ଷଣୀୟ । ତେବେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଗୁହାଳିପଦା ଗାଁର ୧୫ ଜଣ ମହିଳା ଧାନ, ଚାଉଳ, ଗହମ,ମୁଗ, ବିରି,କଉଡି,ଶାମୁକା ଏବଂ ବିଭିନ୍ନ ପ୍ରାକୃତିକ ରଙ୍ଗକୁ ବ୍ୟବହାର କରି ତିଆରି କରୁଛନ୍ତି ପରିବେଶ ଉପଯୋଗୀ ଏବଂ ଆକର୍ଷଣୀୟ ରାଖି । ଘର କାମ ଏବଂ ପାଠ ପଢାରୁ ସମୟ ବାହାର କରି ମହିଳା ଏବଂ ଯୁବତୀମାନେ ଭଳି କି ଭଳି ରାଖି ପ୍ରସ୍ତୁତ କରୁଛନ୍ତି । ବଜାରରେ ମିଳୁଥିବା ରାଖି ଅପେକ୍ଷା ଏମାନଙ୍କର ହାତ ତିଆରି ରାଖି ଅଧିକ ସୁନ୍ଦର ଓ କମ ଦାମର ହୋଇଥିବାରୁ ରାଖି କିଣିବାକୁ ଗ୍ରାହକଙ୍କ ଭିଡ ଲାଗୁଛି । ଷ୍ଟଲରେ ୫ ଟଙ୍କାରୁ ଆରମ୍ଭ କରି ୪୦ ଟଙ୍କା ପର୍ଯ୍ୟନ୍ତ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ ରାଖି ଦୋକାନରେ ମିଳୁଛି । ହାତ ତିଆରି ରାଖିର ଭଲ ଚାହିଦା ଥିବାରୁ ମହିଳାମାନେ ବେଶ ଖୁସି ଅଛନ୍ତି ।

ରାଖୀ ପ୍ରସ୍ତୁତ ପାଇଁ ଘରେ ମିଳୁଥିବା ସାମଗ୍ରୀକୁ ଛାଡିଦେଲେ ଅନ୍ୟ ଆବଶ୍ୟକ ସାମଗ୍ରୀ ସ୍ଥାନୀୟ ବଜାରରୁ କିଣିଥାନ୍ତି । ଆଉ ରାଖି ପ୍ରସ୍ତୁତ କରିବା ପରେ ନିଜ ଷ୍ଟଲରେ ବିକ୍ରି କରିବା ସହିତ ବଜାରରେ ଅନ୍ୟ ବ୍ୟବସାୟୀମାନଙ୍କୁ ମଧ୍ୟ ବିକ୍ରି କରିଥାନ୍ତି । ଏମାନଙ୍କ ହାତ ତିଆରି ରାଖି ବସ୍ତା, ବାଲିଆପାଳ, ଲଙ୍ଗଳେଶ୍ୱର ପ୍ରଭୃତି ଅଞ୍ଚଳର ବ୍ୟବସାୟୀମାନେ ନେଇ ବ୍ୟବସାୟ କରୁଛନ୍ତି । ଅବସର ସମୟରେ ରାଖି ପ୍ରସ୍ତୁତ କରି କିଛି ପଇସା ରୋଜଗାର କରିବା ସହ ନିଜ ଖର୍ଚ୍ଚ ନିଜେ ତୁଲାଇ ପାରୁଥିବାରୁ ବହୁତ ଖୁସି ଥିବା ମହିଳାମାନେ କହିଛନ୍ତି ।

ବଜାରରେ ଡିଜିଟାଲ ରାଖି ଅପେକ୍ଷା ଏହି ଇକୋଫ୍ରେଣ୍ତଲି ରାଖି ଷ୍ଟଲରେ ହାତ ତିଆରି ରାଖିର ଅଧିକ ଚାହିଦା ରହିଥିବାରୁ ଗ୍ରାହକମାନେ ନିଜ ମନ ପସନ୍ଦର ରାଖି କିଣି ନେଉଛନ୍ତି । ପରମ୍ପରା ମାଧ୍ୟମରେ ପରିବେଶ ସୁରକ୍ଷାର ଏ ସୁନ୍ଦର ପରିକଳ୍ପନା ଦ୍ବାରା ଏଭଳି ରାଖି ପ୍ରସ୍ତୁତ କରି ମହିଳାମାନେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।