ପାଖରେ ନାହିଁ ରକ୍ତ ସମ୍ପର୍କର ଭାଇ, ସହପାଠୀ ଭାଇ ହାତରେ ଭଉଣୀ ବାନ୍ଧୁଛି ସ୍ନେହର ରେଶମ ଡୋରି

ଜଳେଶ୍ୱର: ଟ୍ରାଇ ସାଇକେଲରେ ବସି ଭଉଣୀ ବାନ୍ଧୁଛି ଭାଇ ହାତରେ ସ୍ନେହ ଓ ମମତାର ରେଶମ ଡୋରି । ଜନ୍ମରୁ ସିନା ଦିବ୍ୟାଙ୍ଗ କିନ୍ତୁ ସବୁ ପର୍ବ ପର୍ବାଣୀକୁ ଖୁବ ଧୁମଧାମରେ ପାଳନ କରନ୍ତି । ପବିତ୍ର ରାଖି ପୂର୍ଣିମା ପାଇଁ ପୁରପଲ୍ଲୀ ଠୁ ଆରମ୍ଭ କରି ଚାରିଆଡ଼େ ଉତ୍ସବର ମାହୋଲ । ପିଠା ପଣା ଓ ମିଠାର ବାସ୍ନାରେ ମହକି ଯାଉଛି ଚତୁର୍ଦିଗ । ପରମ୍ପରା ଅନୁଯାୟୀ ଆଜି ନିଜ ଭାଇ ହାତରେ ଭଉଣୀ ବାନ୍ଧୁଛି ସ୍ନେହର ରେଶମ ଡୋରି । ସମାନ ଭାବେ ଦିବ୍ୟାଙ୍ଗ ଛାତ୍ରଛାତୀମାନେ ବି ଏହି ପବିତ୍ର ଉତ୍ସବକୁ ଧୁମଧାମରେ ପାଳନ କରୁଛନ୍ତି । ନିଜ ଭାଇ ପାଖରେ ନଥିଲେ ବି ସହପାଠୀମାନଙ୍କୁ ରାଖି ବାନ୍ଧି ଖୁସି ହୋଇଛନ୍ତି ମଦର ଟେରେସା ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରଛାତ୍ରୀ ।

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଡଗରା ଗାଁରେ ରହିଛି ମଦର ଟେରେସା ସେବା ସଙ୍ଘ ଦ୍ବାରା ପରିଚାଳିତ ସ୍ବତନ୍ତ୍ର ଭିନ୍ନକ୍ଷମ ଆବାସିକ ବିଦ୍ୟାଳୟ । ଏଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଏ ଦୃଷ୍ଟି ବାଧିତ ତ କିଏ ଭିନ୍ନକ୍ଷମ । ଏମିତି ଦୁଇଶହ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଠାରେ ରହି ଅଧ୍ୟୟନ କରୁଛନ୍ତି । ନିଜ ରକ୍ତର ଭାଇ ଭଉଣୀ କେହି ପାଖରେ ନଥିଲେ ବି ଏଠାରେ ରହୁଥିବା ଛାତ୍ରୀମାନେ ନିଜ ସହପାଠୀଙ୍କ ହାତରେ ବାନ୍ଧିଛନ୍ତି ସ୍ନେହ ମମତାର ଡୋରି ରାଖି ।

ନିଜ ରକ୍ତ ସମ୍ପର୍କ ଭାଇ ଠାରୁ ଦୂରରେ ଥିଲେ ବି ସ୍ନେହ ମମତାର ଡୋରିରେ ସୃଷ୍ଟି ହୋଇଛି ଅତୁଟ ବନ୍ଧନ । ଏମାନଙ୍କ ଭିତରେ ନା ଅଛି ଛଳନା ନା ଅଛି ଭାବନା ର ସଉଦା । ରାଖିର ରେଶମ ଡୋରି ବଖାଣୁଛି ଏହି କୋମଳମତି ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଅତୁଟ ସମ୍ପର୍କର ଅଲିଭା କାହାଣୀ । ଦୁନିଆରେ ସବୁ ସମ୍ପର୍କ ଯେ କେବଳ ରକ୍ତରେ ଗଢା ହୋଇ ଥାଏ ଆଜିର ଏ ଦୃଶ୍ୟ ତାହା ଭୁଲ ପ୍ରମାଣିତ କରି ଦେଖାଉଛି ।

ଆଜିର ଏହି ସ୍ବାର୍ଥପର ଦୁନିଆରେ ଭାଇ ଭଉଣୀର ସମ୍ପର୍କର ପରିଭାଷା ବଦଳି ଯାଇ ଥିବା ବେଳେ ଏହି ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କର ନିଆରା ରକ୍ଷା ବନ୍ଧନ ସମାଜ ପାଇଁ ଅନେକ ବାର୍ତ୍ତା ପ୍ରଦାନ କରୁଛି ।

You might also like