ବିଶିଷ୍ଟ କବି ରମାକାନ୍ତ ରଥଙ୍କ ପରଲୋକ, ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ହେବ ଶେଷକୃତ୍ୟ

ଭୁବନେଶ୍ବର: ବିଶିଷ୍ଟ କବି ରମାକାନ୍ତ ରଥଙ୍କ ପରଲୋକ । ୯୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଭୁବନେଶ୍ବର ସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଶ୍ରୀରାଧା କବିତା ସଂକଳନ ପାଇଁ ସେ ଥିଲେ ପରିଚିତ । ୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ରମାକାନ୍ତ ରଥ । ସେ ଥିଲେ ଓଡ଼ିଆ ସାହିତ୍ୟର ଜଣେ ଆଧୁନିକ କବି । ଇଂରାଜୀରେ ରେଭେନ୍ସା କଲେଜରୁ ଏମ.ଏ. କରିବା ପରେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବା ଯୋଗଦେଇଥିଲେ ।
୧୯୯୨ରେ ଅବସର ଗ୍ରହଣ କରିବା ପୂର୍ବରୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଥିଲେ । ଏହି ସମୟରେ ତାଙ୍କର କେତେ ଦିନର , ସନ୍ଦିଗ୍ଧ ମୃଗୟା , ସପ୍ତମ ରତୁ , ସଚିତ୍ର ଅନ୍ଧାର , ଶ୍ରୀରାଧା ଏବଂ ଶ୍ରେଷ୍ଠ କବିତା ନାମରେ ସାତଟି କବିତା ସଂକଳନ ପ୍ରକାଶ ପାଇଥିଲା । କେନ୍ଦ୍ର ସାହିତ୍ୟ ଏକାଡେମୀ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ ତାଙ୍କୁ ପୁରସ୍କୃତ କରିଥିଲା । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା । ୧୯୯୨ ମସିହାରେ ଶ୍ରୀରାଧା ପାଇଁ ସେ ସରସ୍ୱତୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ୨୦୦୬ରେ ପଦ୍ମଭୂଷଣରେ ସମ୍ମାନୀତ ହୋଇଥିଲେ ରମାକାନ୍ତ । ୨୦୧୮ରେ ଅତିବଡି ଜଗନ୍ନାଥ ଦାସ ସମ୍ମାନ ପାଇଥିଲେ । ତାଙ୍କ ପରଲୋକରେ ସାରସ୍ବତ ଜଗତରେ ଶୋକର ଛାୟା ଖେଳିଯାଇଛି । ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନରେ ଭିଡ଼ ଜମିଛିି। ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ହେବ ଶେଷକୃତ୍ୟ ।
ଅନ୍ୟପଟେ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କିସ୍ ଓ କିଟ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ। ସାରସ୍ବତ ଜଗତ ଏକ ଉଜ୍ବଳ ନକ୍ଷତ୍ର ହରାଇଲା ବୋଲି କହିଛନ୍ତି ଡ. ଅଚ୍ୟୁତ ସାମନ୍ତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।
ସେହିପରି ସ୍ରଷ୍ଟା ରମାକାନ୍ତଙ୍କୁ କାଦମ୍ବିନୀର ଶ୍ରଦ୍ଧାଞ୍ଜଳି । ଗଭୀର ଶୋକ ପ୍ରକାଶ କରିଛନ୍ତି କାଦମ୍ବିନୀ ସମ୍ପାଦିକା ଡ. ଇତି ସାମନ୍ତ। ଶୋକସନ୍ତପ୍ତ ପରିବାରକୁ ଜଣାଇଲେ ଗଭୀର ସମବେଦନା । ସ୍ରଷ୍ଟା ରମାକାନ୍ତଙ୍କୁ କାଦମ୍ବିନୀର ଓ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଆହୁରି ପଢ଼ନ୍ତୁ : ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ ହୋଲି ଅବସରରେ ଜଣାଇଲେ ହାର୍ଦ୍ଦିକ ଶୁଭେଚ୍ଛା