ସୀତାଙ୍କ ସହ ଝଗଡା କରି ଭାତ ଖାଉନାହାନ୍ତି ରାମଚନ୍ଦ୍ର, ୟା ଭିତରେ ବିତିଗଲାଣି ୪୨ ବର୍ଷ

ଯାଜପୁର(କେନ୍ୟୁଜ୍): ସାମାନ୍ଯ ମନୋମାଳିନ୍ୟ ପାଇଁ ୪୨ବର୍ଷ ହେଲା ଭାତ ଖାଇନାହାନ୍ତି ରାମଚନ୍ଦ୍ର। ଇଏ ରାମାୟଣର ରାମଚନ୍ଦ୍ର ନୁହଁନ୍ତି, ବରଂ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ଲକ୍ଷ୍ମୀନଗର ପଞ୍ଚାୟତ ଭିକିପୁର ଗ୍ରାମର ରାମଚନ୍ଦ୍ର। ରାମଚନ୍ଦ୍ର ଓ ତାଙ୍କ ପତ୍ନୀଙ୍କୁ ନେଇ ଘଟିଯାଇଛି ଏମିତି ଏକ ଘଟଣା। ପତ୍ନୀ ସୀତାଙ୍କ ସହିତ ଝଗଡା ହେବାରୁ ଦୀର୍ଘ ୪୨ବର୍ଷ ହେଲା ଭାତ ଖାଇନାହାନ୍ତି ରାମଚନ୍ଦ୍ର। ଆପଣଙ୍କୁ ଏକଥା ଆଶ୍ଚର୍ଯ୍ଯ ଲାଗୁଥିଲେ ବି କଥାଟି ସତ।

ଭିକିପୁର ଗ୍ରାମର ରାମଚନ୍ଦ୍ର ମାଝୀ । ଯିଏକି ଜଣେ ଦିନ ମଜୁରିଆ। ନିଜର କିଛି ଜମିବାଡ଼ି ନାହିଁ। ପରଘରେ ମୂଲ ଲାଗନ୍ତି, ନହେଲେ ଶୁଖୁଆ ବିକି ପରିବାର ଚଳାନ୍ତି। ପରିବାରରେ ପତ୍ନୀ, ୫ ଝିଅ, ଦୁଇପୁଅ। ଝିଅମାନଙ୍କୁ ବାହା ଦେବାପରେ ଦୁଇପୁଅ ମଧ୍ୟ ବାହାହେଇ ସଂସାର କଲେଣି। ହେଲେ, ରାମଚନ୍ଦ୍ର ପରିବାରଠାରୁ ଅଲଗା ହୋଇ ଏକ ଭଙ୍ଗା କୁଡ଼ିଆରେ ରହୁଛନ୍ତି। ଏହାପଛରେ କାରଣ ହେଉଛି ୪୨ବର୍ଷ ତଳର ଏକ ଘଟଣା।

ସୂଚନା ମୁତାବକ, ଦିନେ ପରିବା ଆଣି ପତ୍ନୀ ସୀତାଙ୍କୁ ରାମଚନ୍ଦ୍ର ରୋଷେଇ କରିବା ପାଇଁ କହିଥିଲେ। ଘରର କାମ ପାଇଁ ବିଳମ୍ବ ହେବାରୁ ସୀତା ରୋଷେଇ କରିପାରିନଥିଲେ। କାମରୁ ଫେରିବା ପରେ ରୋଷେଇ ହୋଇନଥିବା ଦେଖି ସେ ସୀତାଙ୍କ ଉପରେ ରାଗି ଯାଇଥିଲେ। ଏହାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ ସାମାନ୍ୟ ଝଗଡା ହୋଇଥିଲା। ହେଲେ, ସେହିଦିନଠାରୁ ଭାତ ଆଉ ଖାଇବେ ନାହିଁ ବୋଲି ଜିଦ୍‌ ଧରିଥିଲେ ରାମଚନ୍ଦ୍ର। ୪୨ ବର୍ଷ ପରେ ବି ସେ ସେହି ଜିଦ୍‌ରେ ଅଟଳ ରହିଛନ୍ତି। ଆଜି ପର୍ଯ୍ୟନ୍ତ ଭାତ ଖାଇନାହାନ୍ତି। ଚା, ଜଳଖିଆ, ଆଉ ମୁଢ଼ି ପାଲଟିଛି ତାଙ୍କର ପ୍ରଧାନ ଖାଦ୍ୟ। ସାହିପଡ଼ିଶାଠାରୁ ଆରମ୍ଭ କରି ବନ୍ଧୁବାନ୍ଧବ ପର୍ଯ୍ୟନ୍ତ ଯିଏ ଯେତେ ବୁଝାଇଲେ ବି ସେ କାହା କଥା ଶୁଣୁନାହାନ୍ତି।

ପତ୍ନୀ ଓ ପିଲାମାନେ ଅଲଗା ରହୁଥିବା ବେଳେ କିଛି ଦୂରରେ ରହିଛି ତାଙ୍କ କୁଡ଼ିଆ, କଳି ପରେ ସେଠାରେ ହିଁ ସେ ରହୁଛନ୍ତି। ସେଇଠି ରହିଲେ ବି ମୂଲମଜୁରି ଲାଗି ଯାହା ମିଳୁଛି, ସୀତାଙ୍କ ହାତକୁ ବଢ଼ାଇ ଦେଉଛନ୍ତି। ହେଲେ, ସୀତାଙ୍କ ହାତରନ୍ଧା ଖାଉନାହାନ୍ତି।