କାଲିଠୁ କିଟ୍ ଷ୍ଟାଡିୟମରେ ଟକ୍କର, ମୁହାଁମୁହିଁ ହେବେ ଓଡ଼ିଶା ଓ ହରିୟାଣା

ଭୁବନେଶ୍ବର (କେନ୍ଯୁଜ୍) : ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ରଣଜୀ କ୍ରିକେଟ ସିଜିନ୍ । ଭୁବନେଶ୍ୱର କିଟ୍ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଓଡ଼ିଶା ଓ ହରିୟାଣା । ଉଭୟ ଟିମ୍ରେ ଅଛନ୍ତି ବହୁ ନୂଆ ପୁରୁଣା ଖେଳାଳି । ଦୁଇଦିନ ଧରି ଅଭ୍ୟାସ ବି ଜୋରଦାର୍ କରିଛନ୍ତି ଦୁଇ ଦଳ ।
ଓଡ଼ିଶା ରଣଜୀ ଟିମ୍ ଅଧିନାୟକ ବିପ୍ଳବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର ଏବେ ଭଲ ଫର୍ମରେ ଅଛନ୍ତି । ପ୍ରଥମଥର ପାଇଁ ଟିମ୍ରେ ସ୍ଥାନ ପାଇଛନ୍ତି ପ୍ରତିଭାବାନ ବୋଲର୍ ପପୁ ରାୟ । ଗତ ଦେଓଧର ଟ୍ରଫିରେ ତାଙ୍କର ପ୍ରଦର୍ଶନ ଭଲ ଥିଲା । ସେପଟେ ଟିମ୍ ଓଡିଶାକୁ କଡା ଟକ୍କର ଦେବାକୁ ହରିୟାଣା ଟିମ୍ ଯୋଜନା କରିଛି । ଟିମ୍ ରେ ଅଛନ୍ତି ଭାରତୀୟ ଷ୍ଟାର ବୋଲର ମୋହିତ ଶର୍ମା, ଜୟନ୍ତ ଯାଦବଙ୍କ ସମେତ ଆଇପିଏଲ ଷ୍ଟାର ହର୍ସଲ ପଟେଲ । ଆସନ୍ତାକାଲି ସକାଳ ୯ଟାରେ ଖେଳ ଆରମ୍ଭ ହେବ ।
କିଟ୍ ଷ୍ଟାଡିୟମ ରେକର୍ଡ଼
ଚଳିତ ରଣଜୀ ସିଜିନରେ କିଟ୍ ଷ୍ଟାଡିୟମରେ ମୋଟ୍ ୫ଟି ମ୍ୟାଚ୍ ଖେଳାଯିବ । ଓଡ଼ିଶା ୨ଟି ଓ ସିକ୍କିମ ୩ଟି ମ୍ୟାଚ୍ ଖେଳିବ । ପୂର୍ବରୁ ଏହି ପ୍ରଥମ ଶ୍ରେଣୀ ଷ୍ଟାଡିମରେ ସମୁଦାୟ ୫ଟି ମ୍ୟାଚ୍ ଖେଳା ଯାଇଥିଲା । ସେଥିରୁ ଗୋଟିଏ ମାତ୍ର ମ୍ୟାଚରେ ଫଳାଫଳ ବାହାରିଛି । ଗତ ସିଜିନରେ ଓଡ଼ିଶା ଦଳ ଏଠାରେ ମୁମ୍ବାଇ ଠାରୁ ୧୨୦ ରନରେ ହାରିଥିଲା । ପୂର୍ବରୁ ଖେଳା ଯାଇଥିବା ୫ଟି ମ୍ୟାଚରେ ମୋଟ୍ ୬ଟି ଶତକ ହୋଇଛି । ଏଠାରେ ସର୍ବାଧିକ ଦଳୀୟ ସ୍କୋର ହେଉଛି ୫୧୭ ରନ୍। ଯାହା ୨୦୧୬-୧୭ରେ ହାଇଦ୍ରାବାଦ ବିପକ୍ଷରେ କରିଥିଲା କେରଳ ଦଳ । ବ୍ୟକ୍ତିଗତ ସ୍କୋର ଅପରାଜିତ ୧୫୯ ରନ୍ କରିଥିଲେ କେରଳର ଇକବାଲ ଅବଦୁଲ୍ଲା । ଏବେ ଚର୍ଚ୍ଚାରେ ଥିବା ମୁମ୍ବାଇର ଯୁବା ଖେଳାଳି ପୃଥ୍ଵୀ ସ ଗତ ବର୍ଷ ଏଠାରେ ଶତକ ହାସଲ କରିଥିଲେ । ଓଡ଼ିଶା ବୋଲର ବସନ୍ତ ମହାନ୍ତିଙ୍କ ପାଇଁ ଏହି ଗ୍ରାଉଣ୍ଡ ସବୁ ବେଳେ ସ୍ମରଣୀୟ ହୋଇ ରହିବ । ସେ ଏଠାରେ ଗୋଟିଏ ଇନିଂସରେ ୫ଟି ୱିକେଟ୍ ଦଖଲ କରିଥିଲେ । ଏହା ସହ ଦିଲ୍ଲୀ ବିପକ୍ଷ ମ୍ୟାଚରେ ହ୍ୟାଟ୍ରିକ୍ ମଧ୍ୟ କରିଥିଲେ ।
କିଟ୍ ଷ୍ଟାଡିୟମରେ ଖେଳଯିବାକୁ ଥିବା ମ୍ୟାଚ୍ ସୂଚୀ
୧- ନଭେମ୍ବର ୧ରୁ ୪ : ଓଡ଼ିଶା ବନାମ ହରିଆଣା
୨-ନଭେମ୍ବର ୧୨ରୁ ୧୫ : ଓଡ଼ିଶା ବନାମ ଉତ୍ତର ପ୍ରଦେଶ
୩-ନଭେମ୍ବର ୨୦ରୁ ୨୩ : ସିକ୍କିମ ବନାମ ଉତ୍ତରାଖଣ୍ଡ
୪-ଡିସେମ୍ବର ୬ରୁ ୯ : ସିକ୍କିମ ବନାମ ପଣ୍ଡିଚେରୀ
୫-ଡିସେମ୍ବର ୩୦ରୁ ଜାନୁଆରୀ ୨ : ସିକ୍କିମ ବନାମ ମେଘାଳୟ