ଧରାପଡ଼ିଗଲା ଫନ୍ଦି ଫିକର: ଦୁଷ୍କର୍ମ ଦଣ୍ଡରୁ ଖସିବା ପାଇଁ ପୀଡ଼ିତାଙ୍କ ବୟସ ବଢ଼ାଇ ଜାଲ୍ ଜନ୍ମ ପ୍ରମାଣପତ୍ର ଦାଖଲ
ଦଣ୍ଡ କୋହଳ ପାଇଁ ଫନ୍ଦି ଫିକର । ପ୍ରଥମେ ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ । ଆଉ ଏବେ ଦଣ୍ଡ କୋହଳ ପାଇଁ କୋର୍ଟରେ ଦାଖଲ କରିଛନ୍ତି ପିଡୀତାଙ୍କ ନକଲି ଜନ୍ମ ପ୍ରମାଣପତ୍ର । ଏକଥା ଶୁଣି ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ଲଜ୍ଜା ବି ଲାଗୁଛି । ସବୁଠୁ ବଡ଼ କଥା ହେଉଛି ଏଭଳି ଘଟଣା କୌଣସି ବାହାର ରାଜ୍ୟରେ ନୁହେଁ ଖୋଦ୍ ଓଡ଼ିଶାର ବାଲେଶ୍ୱରରେ ଘଟିଛି । ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ପୋସ୍କୋ କୋର୍ଟ ଦ୍ଵାରା ଦୋଷୀ ସାବ୍ୟସ୍ତ ହେବା ପରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୬ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ କୋର୍ଟ ।
୨ ବର୍ଷ ପୂର୍ବେ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନାରେ ଦୋଷୀ କମଳ ଲୋଚନ ପାଣ୍ଡିଆ ବିରୁଦ୍ଧରେ ୨୧/୧/୨୨ ତାରିଖରେ କେସ ନମ୍ବର ୧୬/୨୨ରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା । ଏହି ଘଟଣା ସମୟରେ ପୀଡ଼ିତା ନିଜ ମାମୁଁ ଘରେ ରହୁଥିଲେ । ମାମଲା ରୁଜୁ ହେବା ପରେ କୋର୍ଟରେ ବିଚାର ଆରମ୍ଭ ହୋଇଥିଲା । ଏହି ସମୟରେ ନାବାଳିକାଙ୍କ ପ୍ରକୃତ ଜନ୍ମ ପ୍ରମାଣ ପତ୍ର ଅନୁସାରେ ୮/୬/୨୦୦୫ ଥିବା ବେଳେ ଦୋଷୀ ଦଣ୍ଡ କୋହଳ ପାଇଁ ନାବାଳିକାଙ୍କ ଏକ ନକଲି ଜନ୍ମ ପ୍ରମାଣପତ୍ର ଯୋଗାଡ଼ କରି ନାବାଳିକାଙ୍କ ବୟସ ୧୧/୭/୨୦୦୩ ଦର୍ଶାଇ କୋର୍ଟରେ ଦାଖଲ କରିଥିଲ ।
ଯାହା ଦ୍ୱାରା ପୀଡ଼ିତାଙ୍କୁ ସାବାଳିକା ଦର୍ଶାଇ ଦଣ୍ଡ କୋହଳ କରାଯାଇପାରିବ । ଏହାକୁ ନେଇ ସରକାରୀ ପବ୍ଲିକ ପ୍ରସିକ୍ୟୁଟର ଦୋଷୀଙ୍କ ପକ୍ଷରୁ ପୁନଃ ଆବେଦନ ହୋଇଥିବା ଜନ୍ମ ପ୍ରମାଣ ପତ୍ରକୁ ଅନୁଧ୍ୟାନ କରି ଆପତ୍ତି ଉଠାଇଥିଲେ । ପରେ କୋର୍ଟ ପକ୍ଷରୁ ସତ୍ୟତା ଯାଞ୍ଚ ପାଇଁ ବାଲେଶ୍ଵର ପୌର ପାଳିକାର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଏକ ଚିଠି କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହା ଏକ ଫର୍ଜରୀ ପ୍ରମାଣ ପତ୍ର ବୋଲି ଜଣାପଡିଥିଲା ।
ଗତ ୩/୧୨/୨୦୨୪ ରୁ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ୨୦ ବର୍ଷର ସଜା କାଟୁଛନ୍ତି । ପୋକ୍ସୋ ଆଇନ ଧାରା ୬ ଅଧୀନରେ ୨୨ ଜଣ ସାକ୍ଷୀ ଓ ୪୪ ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି ରାୟ ଶୁଣାଇ ଶୁଣାଇ ଥିଲେ ବାଲେଶ୍ଵର ସ୍ଵତନ୍ତ୍ର ପୋସ୍କୋ କୋର୍ଟ ଜର୍ଜ ରଞ୍ଜନ କୁମାର ସୁତାର । ତେବେ ଦୁଷ୍କର୍ମ ମାମଲା ପରେ ଏବେ ଦୋଷୀ ଆଉ ଏକ ମାମଲାରେ ଛନ୍ଦି ହୋଇଯାଇଛି । ବର୍ତ୍ତମାନ ବାଲେଶ୍ଵର ପୌରସ୍ବାସ୍ଥ୍ୟ ଅଧିକାରୀଙ୍କ ଅଭିଯୋଗ ମୂଳେ ଦୋଷୀ ଦ୍ୱାରା ଦିଆଯାଇଥିବା ନକଲି ଜନ୍ମ ପ୍ରମାଣ ପତ୍ରର ଅସଲି ପ୍ରମାଣ ପତ୍ର କୌଣସି ସାମଞ୍ଜସ୍ୟ ନାହିଁ ବୋଲି ଜଣାପଡିଛି ।
ପୌରପାଳିକା ପକ୍ଷରୁ ଏଭଳି କୌଣସି ସେଭଳି ଜନ୍ମ ପ୍ରମାଣ ପତ୍ର ପ୍ରଦାନ କରାଯାଇନାହିଁ ଏବଂ ସ୍ବାସ୍ଥ୍ୟ ଅଧିକାରିଙ୍କ ଫର୍ଯରି ଦସ୍ତଖତ କରାଯାଇଥିବା ସନ୍ଦେହ କରି ବାଲେଶ୍ଵର ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ବାଲେଶ୍ଵର ଟାଉନ ଥାନା ପୁଲିସ ଘଟଣାକୁ ଗମ୍ଭୀରତାର ସହ ତଦନ୍ତ କରୁଛି । ଅନ୍ୟପଟେ ଦୋଷୀଙ୍କୁ ମାନ୍ୟବର ଉଚିତ ନ୍ୟାୟ ପ୍ରଦାନ କରୁଛନ୍ତି ବୋଲି ପୀଡିତାଙ୍କ ପରିବାର ଆଶ୍ୱସ୍ତି ପ୍ରକାଶ କରିଛନ୍ତି ।
ବାଲେଶ୍ଵରରେ ଏଭଳି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନାବାଳିକା ଦୁଷ୍କର୍ମ ମାମଲାରେ କେସର ବିଚାର ଚାଲୁଥିବା ବେଳେ କିଭଳି ଜଣେ ଦୋଷୀ ଦଣ୍ଡ କୋହଳ ପାଇଁ ପୀଡ଼ିତାଙ୍କ ଜନ୍ମ ପ୍ରମାଣ ପତ୍ରକୁ ଫର୍ଜରି କରି କୋର୍ଟରେ ଦଖଲ କରିପାରୁଛି ତାହା ଏକ ବଡ଼ ଚିନ୍ତାର ବିଷୟ । ଅନ୍ୟପଟେ ବାଲେଶ୍ଵରରେ ଏଭଳି ଏକ ବଡ଼ ରାକେଟ ଚାଲୁଥିବା ବେଳେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ କ’ଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।