ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କ ମହାମିଳନ, ଶ୍ରୀକ୍ଷେତ୍ର ପାଲଟିଛି ଜନ ସମୁଦ୍ର, ୫୩ ବର୍ଷ ପରେ ବିରଳ ଘୋଷଯାତ୍ରା

ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କ ମହାମିଳନ। ଭକ୍ତଙ୍କୁ ଦର୍ଶନ ଦେବାକୁ ବଡ଼ ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ସ୍ବୟଂ ପରଂବ୍ରହ୍ମ। ରତ୍ନବେଦୀ ଛାଡ଼ି ଜନ୍ମ ବେଦୀକୁ ନବ ଦିନାତ୍ମକ ଯାତ୍ରାରେ ମହାବାହୁ। ୩ ରଥରେ ଚତୁର୍ଦ୍ଧା ମୂର୍ତ୍ତି। ଏ ବର୍ଷ ଦୁଇ ଦିନିଆ ଗୁଣ୍ଡିଚା ଯାତ। ୫୩ ବର୍ଷ ପରେ ବିରଳ ଘୋଷଯାତ୍ରା। ରଥରେ ବାମନଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ପାଲଟିଛି ଜନ ସମୁଦ୍ର। ଭକ୍ତି ରସରେ ଭିଜି ଯାଇଛି ବଡ଼ଦାଣ୍ଡ। ଗରମ ଓ ଗୁଳୁଗୁଳି ସତ୍ତ୍ବେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି।
ଆଜି ଭୋର ୪ଟାରେ ମଙ୍ଗଳ ଆଳତୀ, ମଇଲମ ଅବକାଶ ପୂଜା ପରେ ଦଶ ଅବତାର ଠାକୁର ବାହୁଡା ବିଜେ କରିଥିଲେ। ଅନ୍ୟାନ୍ୟ ନୀତିକାନ୍ତି ପରେ ସକାଳ ୧୦ଟା ସୁଦ୍ଧା ରଥ ପ୍ରତିଷ୍ଠା ହୋଇଥିଲା। ମଙ୍ଗଳାର୍ପଣ ପରେ ୧୧ଟା ୧୦ରେ ପହଣ୍ଡି ଆରମ୍ଭ ହୋଇଥିଲା। ଧାର୍ଯ୍ୟ ସମୟର ପ୍ରାୟ ୩ ଘଣ୍ଟା ପୂର୍ବରୁ ପହଣ୍ଡି ହୋଇଥିଲା। ଧାଡ଼ି ପହଣ୍ଡିରେ ପ୍ରଥମେ ଆସିଥିଲେ ଚକ୍ରରାଜ ସୁଦର୍ଶନ। ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରିବା ପରେ ବଡ଼ ଠାକୁର ବଳଭଦ୍ର ଆସିଥିଲେ ତାଳଧ୍ବଜ ରଥକୁ। ତା ପରେ ଦେବୀ ସୁଭଦ୍ରା ରଥାରୁଢ଼ ହୋଇଥିଲେ। ଶେଷରେ ନନ୍ଦିଘୋଷ ରଥକୁ ଝୁଲିଝୁଲି ଆସିଥିଲେ କାଳିଆ ସାଆନ୍ତ।
ବଡ଼ଦାଣ୍ଡରେ ମହାପ୍ରଭୁ। ପତିତ ଜନଙ୍କ ଉଦ୍ଧାର ପାଇଁ ରତ୍ନ ସିଂହାସନରୁ ଓହ୍ଲାଇ ଆସିଛନ୍ତି ବିଶ୍ବ ନିୟନ୍ତା। ରତ୍ନବେଦୀରୁ ଯାତ୍ରା କରୁଛନ୍ତି ଜନ୍ମବେଦୀକୁ। ଆଜି ଅଧାବାଟରେ ଅଟକିବେ ରଥାରୁଢ଼ ଶ୍ରୀଜୀଉ। କାଲି ପୁଣି ରଥ ଟଣା ହୋଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବ। ଦୀର୍ଘ ୫୩ ବର୍ଷ ପରେ ବିରଳ ଘୋଷଯାତ୍ରା। ଏ ବର୍ଷ ଦୁଇ ଦିନ ପାଳିତ ହେଉଛି ଶ୍ରୀଗୁଣ୍ଡିଚା। ଦୁଇ ଦିନ ରଥଟଣା। ଆଜି ସମସ୍ତ ନୀତିକାନ୍ତି ପରେ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ପ୍ରାୟ ୩ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି। ସକାଳ ୧୧ଟା ୧୦ରେ ପହଣ୍ଡି ଆରମ୍ଭ ହୋଇ ଦିନ ୨ଟା ୨୦ରେ ଶେଷ ହୋଇଥିଲା। ଛେରା ପହଁରା ପରେ ଅପରାହ୍ଣ ୪ଟା ୫୦ରେ ଆରମ୍ଭ ହୋଇଥିଲା ରଥ ଟଣା। ରଥରେ ପରଂବ୍ରହ୍ମଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଜନସମୁଦ୍ର ପାଲଟିଛି।