ନିଆରା ଢଙ୍ଗରେ ଏଠାରେ ପାଳନ କରାଯାଏ ରଥ, ୪ ଖଣ୍ଡ ବାଉଁଶରେ ହିଁ ଟଣାଯାଏ ରଥ

ଝାରସୁଗୁଡ଼ା: ରଥ ଯାତ୍ରା ପାଇଁ ଚଳଚଞ୍ଚଳ ଗାଁରୁ ସହର । ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି ରଥଯାତ୍ରା । ସମାନ ଭାବେ ଝାରସୁଗୁଡ଼ା ସହର ଉପକଣ୍ଠରେ ବେହେରାପାଲି ପଞ୍ଚାୟତର କୁକୁରଜଙ୍ଘାସ୍ଥିତ ଜଗନ୍ନାଥ ମନ୍ଦିରଟି ପତିତପାବନ ଶ୍ରୀକ୍ଷେତ୍ର ଭାବେ ପରିଚିତ । ରଥଯାତ୍ରାରେ ଏଠାରେ ରହିଛି ନିଆରା ପରମ୍ପରା । ୮ଶହ ବର୍ଷରୁ ଅଧିକ ସମୟ ହେବ ନିରନ୍ତର ଭାବେ ଚାଲି ଆସିଥିବା ରଥଯାତ୍ରାରେ କୌଣସି ଦଉଡ଼ି ବ୍ୟବହାର କରାଯାଏନି ବରଂ ୪ ଖଣ୍ଡ ବାଉଁଶରେ ହିଁ ରଥଟଣା ହୋଇଥାଏ । ପୁରୀ ରଥଯାତ୍ରା ନବ ଦିନାତ୍ମକ ଯାତ୍ରା ହୋଇଥିବା ବେଳେ କୁକୁରଜଙ୍ଘାରେ ଦ୍ବିତୀୟାରୁ ପୂର୍ଣ୍ଣିମା ଯାଏ ଅର୍ଥାତ ୧୪ ଦିନର ଯାତ୍ରା ହୋଇଥାଏ।

ତ୍ରୟୋଦଶ ଶତାବ୍ଦୀରେ ଏହି ଅଞ୍ଚଳରେ କରୁଆଁ ନାମରେ ଏକ ହିଂସ୍ର ଜାତି ବସବାସ କରୁଥିଲେ । ଫଳରେ ବାହାର ଲୋକେ ଏହି ଅଞ୍ଚଳରେ ପ୍ରବେଶ କରିବା ବି ସମ୍ଭବ ହେଉନଥିଲା । ସେତେବେଳେ ଉତ୍ତରପ୍ରଦେଶର ୨ ଭାଇ ମଧୁସୂଦନ ସିଂ ଓ ପ୍ରାଣନାଥ ସିଂ ଆସି ଝାରସୁଗୁଡ଼ାରେ ରହୁଥିଲେ। ସେମାନେ ଜାଗା ପାଇଁ ତତ୍କାଳୀନ ସମ୍ବଲପୁର ରାଜା ବଳରାମ ଦେବଙ୍କ ନିକଟକୁ ଯାଇଥିଲେ। ଏହା ପରେ କରୁଆଁ ଜାତିକୁ ପରାସ୍ତ କରିବାକୁ ରାଜା ଉଭୟ ଭାଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦୁଇ ଭାଇ ଆସି ଯୁଦ୍ଧ କରିବା ସହିତ କରୁଆଁଙ୍କୁ ପରାସ୍ତ କରିବା ପରେ ସମ୍ବଲପୁର ରାଜା ସେମାନଙ୍କୁ ପୁରସ୍କାର ସ୍ବରୂପ ରାମପୁର ଜମିଦାରୀ ଦେଇଥିଲେ। ୨୦୦୪ରେ ପ୍ରତ୍ନତତ୍ତ୍ବ ବିଭାଗର ଏକ ଟିମ୍‌ ଆସି ମନ୍ଦିରର ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ମନ୍ଦିର ଉପରିଭାଗରେ ଲାଗିଥିବା ପଥରର ବୟସ ଅନୁସାରେ ମନ୍ଦିରଟି ୧୨୧୫ ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠା ହୋଇଥିବା ଅନୁମାନ କରାଯାଇଥିଲା ।

ଏହି ରଥଯାତ୍ରା ୧୪ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏଠାରେ ଗୋଟିଏ ରଥ ନିର୍ମାଣ ହେଉଥିବାବେଳେ ଏହାର ଉଚ୍ଚତା ୪୫ ଫୁଟ୍ ଓ ୧୬ଟି ଚକ ରହିଥାଏ। ଦ୍ବିତୀୟା ତିଥିରେ ମନ୍ଦିରରୁ ରଥଟଣା ଆରମ୍ଭ ହେଉଥିବା ବେଳେ ଅଷ୍ଟମୀ ଯାଏ ରଥଟଣା ହୋଇ ନବମୀରେ ଚତୁର୍ଦ୍ଧାମୂର୍ତ୍ତି ମାଉସୀ ମା’ ମନ୍ଦିରକୁ ବିଜେ କରିଥାନ୍ତି । ସେଠାରେ ସନ୍ଧ୍ୟା ଦର୍ଶନ ପରେ ପୁଣି ଦଶମୀରେ ଅର୍ଥାତ୍‌ ବାହୁଡ଼ା ଦିନ ଫେରିଥାନ୍ତି । ତେବେ ‌ବାହୁଡ଼ା ଦିନ ରଥ ବାହାରିବା ପରେ ବି ରଥ ମନ୍ଦିରରେ ଆସି ପହଞ୍ଚିବା ବେଳକୁ ଚତୁର୍ଦ୍ଧଶୀ ହୋଇଯାଇଥାଏ । ପୂର୍ଣ୍ଣମୀରେ ଠାକୁରମାନେ ମନ୍ଦିର ପ୍ରବେଶ କରିଥାନ୍ତି।

ଝାରସୁଗୁଡା କୁକୁରଜଙ୍ଗା ରଥଯାତ୍ରା ଦେଖିବା ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ। ଆଜି ସମ୍ବଲପୁର ଆଇ.ଜି. ମଧ୍ୟ ଏଠାକୁ ଆସି ଚତୁର୍ଧା ମୂର୍ତ୍ତି କୁ ଦର୍ଶନ କରିବା ସହିତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଦେଖିଥିଲେ।

You might also like