ରତ୍ନବେଦୀ ଛାଡି ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି, ହାତୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ : ଶ୍ରୀକ୍ଷେତ୍ର ଲୋକାରଣ୍ୟ। ଘଣ୍ଟଘଣ୍ଟା, ମୃଦଙ୍ଗ, ହୁଳହୁଳି, ଶଙ୍କଧ୍ୱନି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ପରିବେଶ। ପବିତ୍ର ସ୍ନାନ ପୂର୍ଣ୍ଣିମା ପାଇଁ ଭୋରରୁ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ନୀତିକାନ୍ତି। ଧାଡ଼ି ପହଣ୍ଡିରେ ସ୍ନାନପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ଅଣାଯାଇଥିଲା। ଶେଷରେ ଝୁଲି ଝୁଲି ଆସିଥିଲେ କାଳିଆ ସାଆନ୍ତେ। ବିଭିନ୍ନ ନୀତି ପରେ ସେବାୟତମାନେ ସୁନାକୂଅରୁ ଆଣିଥିବା ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ କରାଇଥିଲେ। କାଳିଆ ଠାକୁରଙ୍କୁ ୩୫ ଗରା, ବଡ଼ଭାଇ ଶ୍ରୀବଳଭଦ୍ରଙ୍କୁ ୩୩, ଉଭଣୀ ସୁଭାଦ୍ରା ଦେବୀଙ୍କୁ ୨୨ ଓ ଶ୍ରୀସୁଦର୍ଶନ ୧୮ ଗରା ଜଳରେ ସ୍ନାନ କରିଥିଲେ। ଗରମ ଓ ଗୁଳୁଗୁଳି ସତ୍ତ୍ୱେ ଶ୍ରୀଜିଉଙ୍କର ସ୍ନାନ ନୀତି ଦେଖିବାକୁ କାହିଁ କେତେ ବାଟରୁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଥିଲେ ଭକ୍ତ। ସ୍ନାନବେଦୀରେ ଚକା ଆଖିକୁ ଦେଖି ବିଭୋର ହୋଇଥିଲେ।

ସ୍ନାନ ନୀତି ପରେ ତାମଯାନରେ ଆସି ପହଞ୍ଚିଥିଲେ ଶ୍ରୀଜିଉଙ୍କର ଆଦ୍ୟସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ। ସ୍ନାନବେଦୀରେ ସେ ଛେରା ପହଁରା କରିଥିଲେ। ଏହାପରେ ଶ୍ରୀଜିଉଙ୍କୁ ହାତୀ ବା ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିଲା ବ୍ୟାପକ ବ୍ୟବସ୍ଥା।

ଅତ୍ୟଧିକ ସ୍ନାନ ଯୋଗୁ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୁଅନ୍ତି। ଏଥିପାଇଁ ଚତୁର୍ଦ୍ଧାମୂର୍ତ୍ତି ଅଣସର ଘରକୁ ବିଜେ କରିବେ। ଆସନ୍ତାକାଲିଠୁ ଚାଲିବ ଗୁପ୍ତ ସେବା। ୧୫ ଦିନ ଧରି ମହାପ୍ରଭୁ ଅଣସର ଘରେ ରହୁଥିବାରୁ ଦର୍ଶଚ଼ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଅଣସର ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ।

Leave A Reply

Your email address will not be published.