ଆଷାଢ ମାସ ଶୁକ୍ଳ ଦ୍ୱିତୀୟା ଠାରୁ ଇସ୍କନରେ ହେବ ରଥଯାତ୍ରା, ଗଜପତି ମହାରାଜଙ୍କ ନିଷ୍ପତ୍ତି
ପୁରୀ : ଆଷାଢ଼ ଶୁକ୍ଳ ଦ୍ଵିତୀୟା ଠାରୁ ଦଶମୀ ମଧ୍ୟରେ ଇସ୍କନ କରିପାରିବ ରଥଯାତ୍ରା । ଶ୍ରୀନଅରରେ ଇସ୍କନ ଗଭର୍ଣ୍ଣିଂ ବଡି କମିଶନର ଅଧ୍ୟକ୍ଷ ଗୁରୁ ପ୍ରସାଦ ସ୍ବାମୀ ମହାରାଜଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି । ଗତକାଲି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀନଅରରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଓ ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଉପସ୍ଥିତ ଥିଲେ । ଏଥିରେ ଶ୍ରୀମନ୍ଦିର ପ୍ରଶାସନ ଓ ଇସ୍କନ ମଧ୍ୟରେ ଆଲୋଚନା ହୋଇଛି । ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଇସ୍କନକୁ ପରାମର୍ଶ ଦିଆଯାଇଛି ।
ବୈଠକରେ ଶ୍ରୀମନ୍ଦିର ତରଫରୁ ଇସ୍କନ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ, ଆଷାଢ଼ ଶୁକ୍ଳ ଦ୍ଵିତୀୟା ଠାରୁ ଦଶମୀ ମଧ୍ୟରେ ହିଁ ମହାପ୍ରଭୁଙ୍କ ରଥଯାତ୍ରାର ଶାସ୍ତ୍ର ସମ୍ମତ ବିଧି ରହିଛି। ତେଣୁ ଏହି ସମୟରେ ହିଁ ପରମ୍ପରା ଅନୁଯାୟୀ ରଥଯାତ୍ରା ପାଳନ କରାଯାଇପାରିବ । ଏଥିରେ ବ୍ୟତିକ୍ରମ ହେବା କଥା ନୁହେଁ । ଏନେଇ ଉଭୟ ପକ୍ଷର ଗବେଷକ ମାନେ ଶୀଘ୍ର ଆଲୋଚନା କରିବେ ବୋଲି ନିଷ୍ପତ୍ତି ହେଲା ଇସ୍କନ କର୍ତ୍ତୃପକ୍ଷ ଆଗାମୀ ଫେବ୍ରୁଆରି ମାସରେ ହେବାକୁ ଥିବା ତାଙ୍କ ଗଭର୍ଣ୍ଣିଂ ବଡି ବୈଠକରେ ଏ ସମ୍ବନ୍ଧରେ ପ୍ରସ୍ତାବ ଆଗତ କରିବାକୁ ନିଷ୍ପତ୍ତି ହୋଇଛି ।