୨ ବର୍ଷ ପରେ ଭକ୍ତ ଗହଣରେ ହେବ ରଥଯାତ୍ରା : ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ( କେନ୍ୟୁଜ): ଦୁଇ ବର୍ଷ ପରେ ଏଥର ଶ୍ରଦ୍ଧାଳୁଙ୍କ ଗହଣରେ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତେ ଯେପରି ଭଲ ଅନୁଭବ ନେଇ ଫେରିବେ ସେଥିପାଇଁ ବିଶେଷ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପ୍ରସ୍ତୁତି ନେଇ ଆଜି ସ୍ୱତନ୍ତ୍ର ସମୀକ୍ଷା ବୈଠକ ହୋଇଥିଲା ।

ରଥଯାତ୍ରା ଯେପରି ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ଅନୁଷ୍ଠିତ ହେବ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ହେଉଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରି କହିଛନ୍ତି, ଏବର୍ଷ ବହୁତ ଅଧିକ ଭକ୍ତ ଆସିବେ । ସବୁପ୍ରକାର ଆଗୁଆ ବନ୍ଦୋବସ୍ତ କରିବାପାଇଁ ପରାମର୍ଶ ଦେଇଛନ୍ତି । ସମସ୍ତେ ଯେପରି ଭଲ ଅନୁଭବ ନେଇ ଫେରିବେ, ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ସେ କହିଛନ୍ତି । କୋଭିଡ ସମୟରେ ରଥଯାତ୍ରା ପରିଚାଳନାରେ ସେବାୟତଙ୍କ ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପୁରୀ ଟାଉନ ହଲ ଠାରେ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ୨୦ଟି ଆଶୁ ଚିକିତ୍ସା କେନ୍ଦ୍ର, ୨୩୩ଜଣ ଡାକ୍ତର, ୬ଜଣ ଫୁଡ ଇନ୍ସପେକ୍ଟର, ଦୁଇଟି ହିଟ ଷ୍ଟ୍ରୋକ ରୁମ୍‌ ଓ ୨୦୦ୟୁନିଟ ବ୍ଲଡ ମହଜୁଦ ରହିଥିବା ବୈଠକରେ ଉନ୍ନୟନ କମିଶନର ସୂଚନା ଦେଇଛନ୍ତି । ସେହିପରି ବଡ଼ଦାଣ୍ଡରେ ବିଭିନ୍ନ ସ୍ଥାନରେ ୩୦ଟି ଟ୍ୟାଙ୍କର, ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ସମସ୍ତ ନଳକୂପ ବିଶୋଧନ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସହ ବର୍ଷା ହେଲେ ଜଳ ନିଷ୍କାସନ ପାଇଁ ଅଧିକ ଅତ୍ୟାଧୁନିକ ମୋଟର ପମ୍ପ ମୁତୟନ ରହିବ । ରଥଯାତ୍ରା ସମୟରେ ୧୩୭ଟି ସ୍ୱତନ୍ତ୍ର ଟ୍ରେନ ସହ ଅଧିକ ବସ ଚଳାଚଳ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.