ରଥଯାତ୍ରା ଓ ବାଲିଯାତ୍ରାକୁ ଯୁନେସ୍କୋ ମାନ୍ୟତା ପ୍ରଦାନ ନେଇ ବଢ଼ିଲା ଆଶା, ହେଲା ଜାତୀୟ ଐତିହ୍ଯ ତାଲିକାଭୁକ୍ତ

ପୁରୀ : ମହାପ୍ରଭୁଙ୍କ ରଥଯାତ୍ରା ଓ ବାଲିଯାତ୍ରାକୁ ଯୁନେସ୍କୋ ଦ୍ବାରା ବୈଶ୍ବିକ ସାଂସ୍କୃତିକ ଐତିହ୍ୟ ମାନ୍ୟତା (Intangible Cultural Heritage of Humanity) ପ୍ରଦାନ ନେଇ ପ୍ରଥମ ସୋପାନ ସଫଳତାର ସହ ଅତିକ୍ରମ ହୋଇଛି । UNESCO ମାନ୍ୟତା ସକାଶେ ପ୍ରଥମେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ସଙ୍ଗୀତ ନାଟକ ଅକାଦେମୀର ଜାତୀୟ ଐତିହ୍ଯ ତାଲିକାଭୁକ୍ତ ହେବାକୁ ପଡୁଥିବା ବେଳେ ଆଜି ବିଧିବଦ୍ଧ ଭାବେ ଏହି ତାଲିକାଭୁକ୍ତ ହୋଇଛି ରଥଯାତ୍ରା । ଏ ନେଇ ଆଜି (ସୋମବାର) ସମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ. ଅରବିନ୍ଦ ପାଢୀ ।

ଆବେଦନ ଶେଷ ତାରିଖ ମାର୍ଚ୍ଚ 31 ତାରିଖ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଠିକଣା ସମୟରେ ନାମାଙ୍କନ ପତ୍ର (Nomination Dossier) ଦାଖଲ ହୋଇଥିଲା । ଗଜପତି ମହାରାଜାଙ୍କ ମାର୍ଗଦର୍ଶନ ତଥା ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ ଅନୁସାରେ, ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକଙ୍କ ନେତୃତ୍ବରେ କମ୍ ଅବଧି ମଧ୍ଯରେ ସମସ୍ତ ପ୍ରସ୍ତୁତି ହୋଇଥିବା ବେଳେ ମହାପ୍ରଭୁଙ୍କ ସେବକମାନେ ମଧ୍ଯ ଏଥିଲାଗି ଅକୁଣ୍ଠ ସହଯୋଗ ପ୍ରଦାନ କରିଥିଲେ।

ଏଥିପାଇଁ ସମସ୍ତ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତ, ସେବକଙ୍କ ସହ ସହଯୋଗର ହାତ ବଢ଼ାଇଥିବା ବ୍ଯକ୍ତି ତଥା ଅନୁଷ୍ଠାନଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ. ଅରବିନ୍ଦ ପାଢୀ । ଗବେଷକମାନେ ରଥଯାତ୍ରାକୁ ବହୁ ପ୍ରାଚୀନ ବୋଲି ମତ ଦେଇଛନ୍ତି । ଋଗ୍‌ବେଦ ଓ ଅଥର୍ବ ବେଦ ଇତ୍ୟାଦିରେ ରଥ ଶବ୍ଦର ପ୍ରୟୋଗ ହୋଇଛି। ଯେଉଁ ସବୁ ରଥଯାତ୍ରାର ଉଲ୍ଲେଖ ହୋଇଛି ସେଥି ମଧ୍ୟରେ ପୁରୀର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବୌଦ୍ଧ ପରମ୍ପରାରୁ ସୃଷ୍ଟ ବୋଲି ଅନୁମାନ କରାଯାଏ ।