ରଥଯାତ୍ରା ପାଇଁ ଓଟିଡିସିର ସ୍ଵତନ୍ତ୍ର ଟୁର୍ ପ୍ୟାକେଜ୍, କମ୍‌ ଖର୍ଚ୍ଚରେ କରି ପାରିବେ ଜଗା ଦର୍ଶନ

ଭୁବନେଶ୍ବର (କେନ୍ୟୁଜ୍‌) : ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ସମ୍ବଲପୁର, ଭୁବନେଶ୍ଵର ଓ ପୁରୀରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ଓଟିଡିସି ତରଫରୁ ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍‌ର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ କିଭଳି ଐତିହାସିକ ଘୋଷଯାତ୍ରାକୁ ସୁରୁଖୁରୁରେ ଦେଖି ପାରିବେ ଓ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ପାରିବେ ସେଥିପାଇଁ ଏହି ପ୍ୟାକେଜ୍ କରାଯାଇଛି ।

ଗତ ଦୁଇ ବର୍ଷ ହେବ ବିନା ଭକ୍ତରେ ବଡ଼ ଠାକୁରଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ସମ୍ପନ୍ନ ହୋଇଥିଲା । ଏଥର କିନ୍ତୁ କୋଭିଡ୍‌ କଟକଣା ନାହିଁ । ତେଣୁ ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ ହେବ । ଏବର୍ଷ ଘୋଷଯାତ୍ରାରେ ପ୍ରବଳ ଜନସମାଗମ ହେବ ବୋଲି ଆଶା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଓଟିଡିସି ପକ୍ଷରୁ ରଥଯାତ୍ରା ସ୍ଵତନ୍ତ୍ର ଟୁର୍ ପ୍ୟାକେଜ ବ୍ୟବସ୍ଥା କରାଯାଇଛି । ସମ୍ବଲପୁରରୁ ପୁରୀ, ଭୁବନେଶ୍ଵରରୁ ପୁରୀ ଓ ପୁରୀରେ ଶ୍ରଦ୍ଧାଳୁଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଯେଉଁମାନେ ସମ୍ବଲପୁରରୁ ଆସି ପୁରୀରେ ରଥଯାତ୍ରା ଦେଖିବାକୁ ଚାହୁଁଛନ୍ତି ସେମାନେ ଜୁନ୍ ୩୦ ତାରିଖ ରାତି ୯ ଟାରେ ସମ୍ବଲପୁର ପାନ୍ଥନିବାସରୁ ସ୍ଵତନ୍ତ୍ର ଗାଡ଼ିରେ ବାହାରିବେ । ସେମାନେ ଭୁବନେଶ୍ବର ଆସି ପାନ୍ଥନିବାସରେ ରହିବେ । ସକାଳ ଜଳଖିଆ ଖାଇ ଅନ୍ୟଏକ ସ୍ଵତନ୍ତ୍ର ଭଲଭୋ ବସ୍ ଯୋଗେ ପୁରୀ ଆସିବେ। ସେଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦେଖିବେ । ସେହିଦିନ ପୁରୀରୁ ପୁଣିଥରେ ଭୁବନେଶ୍ଵର ପାନ୍ଥନିବାସ ଆସି ସେଠାରୁ ରାତି ୧୦ଟାରେ ସମ୍ବଲପୁର ଆଭିମୁଖେ ଯାତ୍ରା ଆରମ୍ଭ କରିବେ । ସେହିପରି ଭୁବନେଶ୍ବର ଓ ପୁରୀ ପାନ୍ଥନିବାସରୁ ମଧ୍ୟ ପୁରୀରେ ରଥଯାତ୍ରା ଦେଖିବା ପାଇଁ ସ୍ଵତନ୍ତ୍ର ପ୍ୟାକେଜ କରାଯାଇଛି । ସମସ୍ତ ପ୍ୟାକେଜ୍‌ରେ ଚା’ ଜଳଖିଆ, ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ ରହିଛି ।

ଏବେ ଆସନ୍ତୁ ଜାଣିବା ପ୍ୟାକେଜ୍‌ର ମୂଲ୍ୟ କେତେ । ସମ୍ବଲପୁର, ଭୁବନେଶ୍ଵର ଓ ପୁରୀ ପାନ୍ଥନିବାସରୁ ପ୍ୟାକେଜ୍ ଦର ଯଥାକ୍ରମେ ୮୩୦୦, ୫୮୦୦ ଓ ୫ ହଜାର ଟଙ୍କା ରହିଛି। ଏହି ରଥଯାତ୍ରା ଟୁର୍ ପ୍ୟାକେଜ୍ ବିଷୟରେ ଅଧିକ ଜାଣିବା ପାଇଁ ତଥା ବୁକିଂ କରିବାକୁ ୱେବସାଇଟ୍ www.panthanivas.com ରେ ଯୋଗାଯୋଗ କରନ୍ତୁ ।

 

 

Image source : flickr

 

Leave A Reply

Your email address will not be published.