ହିତାଧିକାରୀଙ୍କୁ ମିଳିବ ୩ ମାସର ଆଗୁଆ ଚାଉଳ, ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବେ ବାଦ୍‌ ପଡିଥିବା ଶ୍ରମିକ

ଭୁବନେଶ୍ୱର: ରାସନକାର୍ଡଧାରୀଙ୍କ ଖୁସି ଖବର। ହିତାଧିକାରୀଙ୍କ ପିଛା ୧୫ କିଲୋ ଲେଖାଏ ତିନିମାସର ଆଗୁଆ ଚାଉଳ ଦେବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଆଗୁଆ ଚାଉଳ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ହିତାଧିକାରୀଙ୍କୁ ୧୫ କିଲୋ ଲେଖାଏଁ ଚାଉଳ ଦିଆଯିବ । ସାଧାରଣ ବଣ୍ଟନ ବିଭାଗର କାର୍ଯ୍ୟ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଏହି ପ୍ରକ୍ରିୟା ଅକ୍ଟୋବର ପହିଲା ଠାରୁ ଆରମ୍ଭ ହୋଇଥିଲେ ମଧ୍ୟ ୪୦ ଲକ୍ଷ ପରିବାର ଏ ପର୍ଯ୍ୟନ୍ତ ଚାଉଳ ପାଇ ନାହାନ୍ତି। ତେଣୁ ଏହି ପରିବାର ଗୁଡ଼ିକୁ ତୁରନ୍ତ ଚାଉଳ ବଣ୍ଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଇ-ଶ୍ରମିକରେ ପଞ୍ଜୀକୃତ ହୋଇଥିବା ୧କୋଟି ୩୦ଲକ୍ଷ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ସାମିଲ ହୋଇଥିବା ବେଳେ ଆଉ ୧ଲକ୍ଷ ୩୧ ହଜାର ଶ୍ରମିକ ବାକି ରହିଛନ୍ତି। ସେମାନଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ତୁରନ୍ତ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ତୁରନ୍ତ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି । ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।

You might also like