ପାଖରେ ଟଙ୍କା ନାହିଁ କିନ୍ତୁ ବିଲେଇ କୁକୁରଙ୍କ ପେଟ କଥା ବୁଝୁଛନ୍ତି ରତିକାନ୍ତ

ପାଖରେ ଅର୍ଥର ଅଭାବ ଥାଇ ମଧ୍ୟ ପଶୁପକ୍ଷୀଙ୍କ ପେଟ କଥା ବୁଝୁଛନ୍ତି ଜଣେ ଚା ଦୋକାନୀ ।  ମାନବ ସେବା ହିଁ ମାଧବ ସେବା ଅର୍ଥକୁ ଭଲ ଭାବେ ବୁଝିଛନ୍ତି ଏ ବ୍ୟକ୍ତି । ପେଶାରେ ଚା ଦୋକାନୀ । କିନ୍ତୁ ନିଶା ତାଙ୍କର ଅନ୍ୟକୁ ସାହାଯ୍ୟ କରିବା । ପରୋପକାରୀ ମଣିଷ ଭାବେ ବେଶ ପରିଚିତ ଏହି ଚା ଦୋକାନୀ । ଚା ଦୋକାନୀ ଭାବେ ଯେତିକି ପରିଚୟ ହାସଲ କରିଛନ୍ତି ତା ଠାରୁ ଅଧିକ ଜୀବ ଜନ୍ତୁଙ୍କ ପେଟ କଥା ବୁଝି ସମସ୍ତଙ୍କର ଆପଣାର ହୋଇ ପାରିଛନ୍ତି । ସମାଜସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରିଛନ୍ତି । ଯାହାକି ଏ ଅଞ୍ଚଳ ପାଇଁ ଗର୍ବ ଏବଂ ଗୌରବ ।

ମୟୁରଭଞ୍ଜ ଜିଲ୍ଲା ଉଦଳା ଏନ୍ଏସି ୫ ନମ୍ବର ୱାର୍ଡର ରତିକାନ୍ତ ସାହୁ । କୋଟି ଭାଇ ନାମରେ ବେଶ ପରିଚିତ। ରତିକାନ୍ତ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଉଦଳା ବଜାରରେ ଚା ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରନ୍ତି । ହେଲେ ମନରେ ରହିଥାଏ କିଛି ସେବା କରିବାର ମନୋଭାବ । ମଣିଷ ହେଉ କି ପଶୁପକ୍ଷୀ ହୁଅନ୍ତୁ ସେ ସମସ୍ତଙ୍କ ପେଟ କଥା ସବୁଦିନ ବୁଝନ୍ତି । ସବୁଦିନ ଅସହାୟ ଲୋକଙ୍କୁ ଓ ପଶୁପକ୍ଷୀମାନଙ୍କୁ ଖାଇବାକୁ ଦିଅନ୍ତି । ସରଳ ମଣିଷ ଭାବେ ଜୀବନ ବିତାଉଥିବା ଚା ଦୋକାନୀ ସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରିଛନ୍ତି ।

ମନରେ ଦୃଢ଼ ଇଛାଶକ୍ତି ତାଙ୍କୁ ସେବା କରିବା ପାଇଁ ଥିବା ମନୋବଳକୁ ବଢ଼ାଇଛି । କରୋନା ମହାମାରୀ ସମୟରୁ ସେ ଏହି ସେବା କରି ଆସୁଛନ୍ତି । ସନ୍ଧ୍ୟା ହେଉ କି ସକାଳ ହେଉ ଚା ଦୋକାନ ପାଖରେ ସବୁବେଳେ କୁକୁର, ବିଲେଇ, ଗାଈ ଓ ଅସହାୟ ଲୋକଙ୍କ ଭିଡ଼ । ସେମାନଙ୍କ ସେବା କରିବା ସହ ଖାଇବାକୁ ଦେଇଥାନ୍ତି ରତିକାନ୍ତ । ଏଭଳି ସେବା କଲେ ନିଜକୁ ଆତ୍ମସନ୍ତୋଷ ମିଳିଥାଏ ବୋଲି ସେ କହିଛନ୍ତି । ଚା ଦୋକାନରୁ ଯାହାକିଛି ରୋଜଗାର ହୁଏ ପରିବାର ପ୍ରତିପୋଷଣ କରିବା ସହ ପଶୁପକ୍ଷୀ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତି ।

ପଶୁପକ୍ଷୀ ହୁଅନ୍ତି କି ଅସହାୟ ଲୋକ ହୁଅନ୍ତୁ ସେମାନଙ୍କୁ ନିଜର ସ୍ନେହ ମମତାରେ ବାନ୍ଧି ରଖିଥାନ୍ତି । ରତିକାନ୍ତଙ୍କୁ ଦେଖିଲେ ହିଁ ମଣିଷ ଓ ପଶୁପକ୍ଷୀଙ୍କ ମଧ୍ୟରେ ଥିବା ଅନାବିଳ ସମ୍ପର୍କକୁ ବୁଝି ହୁଏ । ପଶୁପକ୍ଷୀଙ୍କ ସହ ତାଙ୍କର ଏମିତି ସମ୍ପର୍କ ରହିଛି ଯେ ପଶୁଙ୍କ ନାଁ ଧରି ଡାକିଲେ ସେମାନେ ପାଖକୁ ଚାଲି ଆସନ୍ତି । ଏପରିକି ଗୋଟିଏ ଦିନ ନ ଆସିଲେ ରତିକାନ୍ତ ସେମାନଙ୍କ ବାଟକୁ ଅପେକ୍ଷା କରି ବସନ୍ତି । ତେବେ ତାଙ୍କର ଏହି ମାନବିକତା ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି ବୋଲି କହିଛନ୍ତି ଅଞ୍ଚଳ ବାସୀ ।

ପ୍ରତ୍ୟେକ ମଣିଷ ଯଦି ଏମିତି ମନୋଭାବ ଆଣିବେ ତେବେ ପଶୁପକ୍ଷୀମାନେ କେବେ ବି ଭୋକ ଉପାସରେ ରହିବେନି । ପଶୁପକ୍ଷୀଙ୍କ ଏଭଳି ସେବା କରି ରତିକାନ୍ତ ଅଞ୍ଚଳବାସୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

 

 

You might also like